ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଉଦ୍ଦେଶ୍ୟ ଥିଲା ରାଜାଙ୍କଠାରୁ ହତ୍ୟା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ସଂଗ୍ରହ କରିବା। ହେଲେ ବୁଧବାର ରାଜାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିଲେ ମଧ୍ୟ ପୋଲିସକୁ କିଛି ନୂଆ ତଥ୍ୟ ମିଳିନାହିଁ। ଆଇନଗତ ଦୃଷ୍ଟିରୁ ରାଜାଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ଥିବାରୁ ପୋଲିସ ତାଙ୍କୁ ତନତନ କରି ଜେରା କରିଥିଲା। ଏବେ ଭିସେରା ରିପୋର୍ଟକୁ ଅପେକ୍ଷା। କାରଣ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ପାକସ୍ଥଳୀରେ ବିଷକ୍ରିୟା ହୋଇଥିବା ଜଣାପଡିଥିଲା। ଭିସେରା ରିପୋର୍ଟ ଆସିଲା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ତର୍ଜମା କରାଯିବ। ଯଦି ବିଷ କିମ୍ବା ଔଷଧ ଆଦି ଦିଆଯାଇ ନିହାରିକାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବ ତେବେ ପୁଣି ରାଜାଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଚିନ୍ତା କରିବ। ଏହା ହତ୍ୟା ଘଟଣାକୁ ନୂଆ ମୋଡ଼ ଦେଇପାରେ। ଏହି ସୂଚନା ଦେଇଛନ୍ତି, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌।
ଏସ୍‌ଡିପିଓ କହିଛନ୍ତି, ରାଜା ବର୍ଷା ରାତିରେ ଯେଉଁଭଳି ଭାବରେ ସାହସ ଜୁଟାଇ ତଥ୍ୟ, ପ୍ରମାଣ ନଷ୍ଟ ପାଇଁ ମୃତଦେହ ନଦୀରେ ଭସାଇ ଦେଇଥିଲେ ତାହା ଜଣେ ପେସାଦାର ଅପରାଧୀ ମଧ୍ୟ କରିବା କଷ୍ଟକର। ଏହି କଥାକୁ ସହଜରେ ଗ୍ରହଣ କରାଯାଉ ନ ଥିଲା। ରାଜାଙ୍କ ଏହି ବୟାନର ସତ୍ୟତା ପରଖିବା ପାଇଁ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ପୁଣି ଜେରା କରିଥିଲା। କିନ୍ତୁ ରାଜା ତାଙ୍କ ବୟାନ ବଦଳାଇ ନ ଥିଲେ। ରାଜା ସମସ୍ତ ଘଟଣା ଏସ୍‌ପି ପ୍ରକାଶ ଆର୍‌ଙ୍କ ନିକଟରେ ଡେମୋ କରି ଦେଖାଇଥିଲେ ସୁଦ୍ଧା ପୋଲିସ ଅଧିକ ଅନୁଧ୍ୟାନ ପାଇଁ ରିମାଣ୍ଡରେ ନେଇଥିଲା।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁରର ଗଗନ ପାତ୍ର ଓ ପ୍ରତିମା ପାତ୍ରଙ୍କ ଝିଅ ନିହାରିକା ୫ ବର୍ଷ ତଳେ ବରିଡ଼ି ଅଞ୍ଚଳରେ ରହି ନସିର୍ଂ ଟ୍ରେନିଂ ନେଉଥିଲେ। ଏହି ସମୟରେ ତାଙ୍କର ବରିଡ଼ି ହାଜିପୁରର ରାଜାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ନିହାରିକା କଟକରେ ନର୍ସିଂ ଚାକିରି କରିଥିବାବେଳେ ରାଜା ସେଠାରୁ ତାଙ୍କୁ ଗତ ୮ ତାରିଖ ଦିନ ନେଇ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଅଖାରେ ବାନ୍ଧି ବିଲୁଆ ଖାଇ ନଦୀରେ ଫିଙ୍ଗି ଦେଇଥିଲେ। ନିହାରିକା ନିଖୋଜ ନେଇ ମଧୁପାଟଣା ଥାନାରେ ଅଭିଯୋଗ ଓ ବିରିଡ଼ିରୁ ମୃତଦେହ ମିଳିବା ପରେ ଘଟଣା ପଦାକୁ ଆସିଥିଲା।