ସରିଲା ନିଟ୍‌ବାହାରେ ରବର ବ୍ୟାଣ୍ଡ, କ୍ଲିପ୍‌ ରଖିଲେ ଛାତ୍ରୀ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ତଥା ଦେଶର ପ୍ରମୁଖ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର ସହରର ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଏଥର ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ କରାଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ସାଙ୍ଗରେ ପେନ୍‌ସିଲ୍‌ ବକ୍ସ, ପ୍ଲାଷ୍ଟିକ୍‌ ପାଉଚ୍‌, କାଲ୍‌କୁଲେଟର, ପେନ୍‌, ସ୍କେଲ୍‌, ପେନ୍‌ ଡ୍ରାଇଭ୍‌, ରବର, ଇଲେକ୍ଟ୍ରୋନିକ୍‌ ପେନ୍‌, ମୋବାଇଲ୍‌ ଫୋନ୍‌, ବ୍ଲୁଟୁଥ୍‌, ଇୟରଫୋନ୍‌, ମାଇକ୍ରୋଫୋନ୍‌, ହେଲଥ୍‌ ବ୍ୟାଣ୍ଡ, ହ୍ୟାଣ୍ଡବ୍ୟାଗ୍‌, ଓ୍ବାଲେଟ୍‌, କ୍ୟାପ୍‌, ହାତଘଣ୍ଟା, ବ୍ରେସ୍‌ଲେଟ୍‌, କ୍ୟାମେରା, ଅଳଙ୍କାର, ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଆଦି ନେଇପାରିବେ ନାହିଁ ବୋଲି ନିୟମ ରହିଥିଲା। ସୋମବାର ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ସକାଳ ସାଢ଼େ ୯ଟାରେ ପ୍ରବେଶ କରିଥିଲେ। ପ୍ରବେଶ ସମୟରେ ଛାତ୍ରୀମାନେ ମୁଣ୍ଡରେ ବାନ୍ଧିଥିବା ରବର ବ୍ୟାଣ୍ଡକୁ ଓହ୍ଲାଇ ଯାଇଥିଲେ। ଏପରି କି, ଲଗାଇଥିବା କ୍ଲିପ୍‌ ମଧ୍ୟ ବାହାରେ ରଖି ଯାଇଥିଲେ।