Categories: ରାଜ୍ୟ

ସରିଲା ଖରାଛୁଟି, ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଶେଷ ହେଲା ଖରାଛୁଟି। ଶୁକ୍ରବାର ଖୋଲିଛି ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସହ ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଖୋଲିଛି। ତେବେ ସରକାରୀ ବିଦ୍ୟାଳୟଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ କ୍ଲାସ ହେବ। ସେହିଭଳି ଘରୋଇ ସ୍କୁଲଗୁଡ଼ିକ ନିଜ ନିର୍ଧାରିତ ସମୟସୂଚି ଅନୁଯାୟୀ କ୍ଲାସ କରାଯିବ ବୋଲି ଜଣାପଡ଼ିଛି।

ଦୁଇ ମାସ ଖରାଛୁଟି ପରେ ସ୍କୁଲ ଖୋଲୁଥିବାରୁ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଇଛି। ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ଥିବାରୁ କେତେକ ବିଦ୍ୟାଳୟରେ ଏହି ଦିବସକୁ ପାଳନ କରାଯାଇଛି। ପିଲାମାନଙ୍କ ସହ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍‌ ୨୫ ପର୍ଯ୍ୟନ୍ତ ଖରାଛୁଟି ଅବଧିକୁ ବଢ଼ାଇଥିଲେ। ମାତ୍ର ଜୁନ୍‌ ୨୧ରେ ସ୍କୁଲ ଖୋଲିବ ବୋଲି ପୁନର୍ବାର ଘୋଷଣା କରାଯାଇଥିଲା। ପାଗ ବଦଳିଥିବାରୁ ନିଷ୍ପତ୍ତିକୁ ମଧ୍ୟ ବଦଳାଇଥିଲେ ରାଜ୍ୟ ସରକାର।