ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ। ପରେ ସ୍ମେଲଟରରେ ସ୍ବୀକୃତିପ୍ରାପ୍ତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ଶ୍ରମିକ ସଙ୍ଗଠନ ଗୁଡ଼ିକ ସଜବାଜ ହେଲେଣି। କିଭଳି ସେମାନଙ୍କ ସଙ୍ଗଠନ ବାଜିମାତ୍‌ କରିବ ସେଥିପାଇଁ ତତ୍ପରତା ଦେଖାଦେଲାଣି।
ନାଲ୍‌କୋ ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ, ନେସ୍‌ ସଙ୍ଗଠନ, ନେପୁ, ଏନ୍‌କେଏସ୍‌, ନାଲକୋ ସ୍ମେଲଟର ଶ୍ରମିକ ସଂଘ ଆଦି ୫ଟି ଶ୍ରମିକ ସଙ୍ଗଠନ ରହିଛି। କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ଏହି ନିର୍ବାଚନ ହୋଇଥାଏ। ୨୦୧୭ ସେପ୍ଟେମ୍ବରରେ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୁମିନିୟମ ମଜଦୁର ସଂଘ ୧୦୭୦ ଭୋଟ ପାଇ ବାଜିମାତ କରିଥିଲା। ତେବେ ନେସ୍‌ ସଙ୍ଗଠନ ୯୬୧ ପାଇଥିଲା। ଗତ ନିର୍ବାଚନରେ ସ୍ମେଲଟର ପ୍ଲାଣ୍ଟରେ ୨୪ ଶହ ଭୋଟର ରହିଥିଲେ। ତେବେ ଆଗାମୀ ନିର୍ବାଚନରେ ପ୍ରାୟ ୨୧ ଶହ ଭୋଟର ରହିଥିବା ସୂଚନା ମିଳିଛି। ନାଲକୋ କଲୋନୀ ସମେତ ପାରିପାର୍ଶ୍ୱିକ ଅଞ୍ଚଳରେ ନିର୍ବାଚନୀ ଉଷ୍ମତା ଦେଖାଦେଇଥାଏ। ଭୋଜି ଭାତର ଆସର ଜମିବା ସହ ପ୍ରଚାର ପ୍ରସାର ଜୋରଦାର ହୋଇପଡ଼େ। ଉକ୍ତ ୫ଟି ଶ୍ରମିକ ସଙ୍ଗଠନ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହେବେ। ଭାରତୀୟ ମଜଦୁର ସଂଘ ସହବନ୍ଧିତ ଏଏମ୍‌ଏସ୍‌, ଆଇଏନ୍‌ଟିୟୁସି ସହବନ୍ଧିତ ନେସ୍‌, ଏଚ୍‌ଏମ୍‌ଏସ୍‌ ସହବନ୍ଧିତ ନେପୁ ତିନି ପ୍ରମୁଖ ଶ୍ରମିକ ସଙ୍ଗଠନ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଲୋଚନା ହେଉଛି।