ସରଳ ହେବ ଜମିର କିସମ ପରିବର୍ତ୍ତନ

ଭୁବନେଶ୍ୱର,୭।୨(ବ୍ୟୁରୋ): କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯିବ। ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ବଦଳୁଥିବାରୁ ରାଜସ୍ବ ବିଭାଗର ଏହି ପୁରୁଣା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାଜସ୍ବ ପର୍ଷଦ ସଦସ୍ୟ ସିଜେ ବେଣୁଗୋପାଳ କହିଛନ୍ତି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜମିର କିସମ ଓ ସତ୍ତ୍ୱ ପାଇବା ନେଇ ଦେଖା ଦେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ବ ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ କିସମ ବ୍ୟବସ୍ଥାକୁ ସୁ ସଂଗତ କରାଯାଇ ପାରିଲେ ଜମି ହସ୍ତାନ୍ତରରେ ସୁବିଧା ହେବା ସହ କୃଷକମାନେ ମଧ୍ୟ ଲାଭ ବାନ ହୋଇ ପାରିବେ। ଏହାଦ୍ୱାରା ଜମି ରାଜସ୍ବ ପ୍ରଦାନ କ୍ଷେତ୍ରରେ ସହଜ ହୋଇ ପାରିବ। ବିିଭିନ୍ନ ସଂସ୍ଥା ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ଏ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିଭାଗ ପକ୍ଷରୁ ଜମି ଜମା ରେକର୍ଡପତ୍ରକୁ ଡିଜିଟାଇଜେଶନ କରାଯାଇଥିବା ବେଳେ ରେକର୍ଡ ମ୍ୟାନେଜମେଣ୍ଟ ବ୍ୟବସ୍ଥା, ଭୂଲେଖ ଏବଂ ଭୂ ନକ୍ସା କରାଯାଇଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭,୭୯୭ ପ୍ରକାର କିସମ ଜମି ପଟ୍ଟାରେ ଉଲ୍ଲେଖ କରାଯାଉଛି। ପଟ୍ଟାରେ ଜମିର ବ୍ୟବହାର ସହଜରେ ଜଣାପଡୁ ନାହିଁ। ଏପରିକି ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ସହାୟତା ଦେବାରେ ସମସ୍ୟା ସୃଷ୍ଟି ହେଉଛି।