Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିବେ ଶିବସେନା, ଏନ୍‌ସିପି, କଂଗ୍ରେସ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ତେବେ ମହାରାଷ୍ଟ୍ର ରାଜ୍ୟପାଳ ଶନିବାର ଅପରାହ୍ନ ୩ଟାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସହ ଏକ ବୈଠକରେ ଆଲୋଚନା କରିବାକୁ ସମୟ ଦେଇଥିବା ଏନ୍‌ସିପି ନେତା ନଓ୍ବାବ ମଲିକ ସୂଚନା ଦେଇଛନ୍ତି। ଏଥର ୩ଟି ଯାକ ଦଳ ଏକାସଙ୍ଗେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ କୃଷକଙ୍କ ସମସ୍ୟାକୁ ନେଇ ଆଲୋଚନା କରାଯିବ ବୋଲି ମଲିକ କହିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ବସିଥିବା ବୈଠକ ଶେଷ ହୋଇଛି। ଆହୁରି ମଧ୍ୟ ସୂଚନା ମିଳିଛି କି ଆସନ୍ତା ୧୭ରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀରେ ସୋନିଆଙ୍କୁ ସାକ୍ଷାତ୍‌ କରିବେ। ଏହାକୁ ଦେଖି ଏବେ ଆଲୋଚନା ହେଉଛି କି ଶିବସେନାର ସ୍ବପ୍ନ ପୂରଣ ହୋଇପାରେ। ଯଦି ଏହା ହେଲା ଆଉ ମୁଖ୍ୟମନ୍ତ୍ରୀ ଆସନରେ ଶିବସେନା ବସିଲା ତେବେ ନଭେମ୍ବର ୧୭ରେ ହୁଏତ ସରକାର ଗଠନ ପାଇଁ ପ୍ରସ୍ତାବ ଦିଆଯାଇପାରେ। କାରଣ ନଭେମ୍ବର ୧୭ ହେଉଛି ବାଲ ଠାକରେଙ୍କ ପୂଣ୍ୟତିଥି। ଗୋଟିଏ ପଟେ ଶିବସେନା ମୁଖ୍ୟମନ୍ତ୍ରୀ ହେବ ବୋଲି ଏନ୍‌ସିପି ପରୋକ୍ଷରେ ସ୍ପଷ୍ଟ କରିଥିବା ବେଳେ ଅନ୍ୟପଟେ ଭାଜପା କହିଛି ଏହି ଖେଚୁଡି ସରକାର ୬ ମାସରୁ ଊର୍ଦ୍ଧ୍ୱ ସମୟ ତିଷ୍ଠି ପାରିବ ନାହିଁ। କିନ୍ତୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ୫ ବର୍ଷ ଶାସନ କରିବ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏଥିରେ ଶିବସେନା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହ ଏନ୍‌ସିପି ଓ କଂଗ୍ରେସର ୨ଉପ ମୁଖ୍ୟମନ୍ତ୍ରୀ ରହିବେ। ସେହିପରି ଶିବସେନା-ଏନ୍‌ସିପିର ୧୪-୧୪ମନ୍ତ୍ରୀ ଓ କଂଗ୍ରେସର ୧୨ ମନ୍ତ୍ରୀ ରହିବେ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Share