Categories: ଗଞ୍ଜାମ

ସରକାରୀ ସହାୟତା ନାଁରେ ଠକେଇ ଅଭିଯୋଗ:  ୪ ଯୁବତୀ, ଜଣେ ଯୁବକ ଅଟକ

ଦିଗପହଣ୍ଡି,୨୦ା୧୦(ଡି.ଏନ.ଏ.)-ସରକାରୀ ସହାୟତା ପ୍ରଦାନ ନାଁରେ ଦୀର୍ଘଦିନ ଧରି ଦିଗପହଣ୍ଡି ଗ୍ରାମାଞ୍ଚଳରେ ଲୋକଙ୍କୁ ଠକୁଥିବା ଏକ ସଂସ୍ଥାର ୪ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ସେମାନଙ୍କ ଠାରୁ ରସିଦ ବହି, ସଂସ୍ଥାର ନିଯୁକ୍ତି ପତ୍ର, ବହୁ ସଂଖ୍ୟକ ନକଲି ସରକାରୀ ଚିଠି, ସ୍ମାର୍ଟକାର୍ଡର କଲର ଜେରକ୍ସ ଆଦି ଜବତ କରାଯାଇଛିି। ଏ ନେଇ ଆଇଆଇସି ବସନ୍ତ କୁମାର ସେଠୀ ତଦନ୍ତ ଚଳାଇଛନ୍ତି। ଗଞ୍ଜାମ ଜିଲାପାଳଙ୍କ ଦପ୍ତରରୁ ସୂଚନା ପାଇ ଶନିବାର ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଦର ଶବର, ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗଁାରେ ଚଢ଼ାଉ କରିଥିଲେ। ଲୋକଙ୍କୁ ସେମାନଙ୍କ ସଂସ୍ଥା ଦ୍ୱାରା ଚିହ୍ନଟ କାର୍ଡ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ପ୍ରତି ହିତାଧିକାରୀଙ୍କଠାରୁ ୩୦ ଟଙ୍କା ଆଦାୟ କରୁଥିବା ଯୁବତୀମାନଙ୍କୁ ଧରି ପୋଲିସକୁ ଦେଇଥିଲେ।
ତହସିଲଦାରଙ୍କ ସୂଚନା ପ୍ରକାରେ, ଗତ କିଛିଦିନ ହେଲା ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ଗ୍ରାମାଞ୍ଚଳ ଲୋକଙ୍କୁ ଇ-ସୁବିଧା ଯୋଗାଇ ଦିଆଯିବ କହି ଅର୍ଥ ଆଦାୟ କରୁଛି। ଲୋକେ ଏହି ସଂସ୍ଥାରେ ନିଜ ନାଁକୁ ପଞ୍ଜୀକରଣ କଲେ ସେମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବା ସହ ବିଭିନ୍ନ ସରକାରୀ ଯୋଜନା ହିତାଧିକାରୀ ଚୟନରେ ସେମାନଙ୍କୁ ଅଗ୍ରାଧିକାର ମିଳିବ ବୋଲି ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉକ୍ତ ସଂସ୍ଥା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ଶାଖା କାର୍ଯ୍ୟାଳୟ ଖୋଲି ମାସିକ ୮ ହଜାର ଟଙ୍କା ଦରମା ଦିଆଯିବ ବୋଲି କହି ଯୁବତୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିବା ଆଇଆଇସି କହିଛନ୍ତି। ନିଯୁକ୍ତି ପତ୍ର ପାଇବା ପୂର୍ବରୁ ସମ୍ପୃକ୍ତ ସଂସ୍ଥା ପ୍ରତି କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ସମ୍ପୃକ୍ତ ଯୁବତୀମାନେ ପୋଲିସକୁ କହିଛନ୍ତି।