ସରକାରୀ ଯୋଜନାରେ ମିଳୁନି ପକ୍କାଘର: ବ୍ଲକ କାର୍ଯ୍ୟାଳୟ ଘେରିଲେ ଲୋକେ

ସୁକିନ୍ଦା,୧୬ା୧୦(ଡି.ଏନ୍‌.ଏ)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା, ବାହାବଳପୁର, ବର୍ତ୍ତଣ୍ଡା ଗ୍ରାମ ସହ ୨୫ ପଞ୍ଚାୟତର ବହୁ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଘରଖଣ୍ଡେ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମଧ୍ୟ ଘର ପାଇପାରୁ ନାହାନ୍ତି। ଏ ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟରେ ଗ୍ରାମର ଶତାଧିକ ଲୋକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଫଳରେ ବ୍ଲକ ପରିସରରେ ଉତ୍ତେଜନା ଦେଖାଦେବା ସହ କାର୍ଯ୍ୟାଳୟ ଏକରକମ ଅଚଳ ହୋଇଥିଲା। ବିଡିଓ କାର୍ଯାଳୟରେ ଅନୁପସ୍ଥିତ ଥିବାରୁ ଅନ୍ୟାନ୍ୟ ଅଧିକାରୀମାନେ ଧାରଣାକାରୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ବସିରହିବାକୁ କହିଥିଲେ। ବ୍ଲକ ଆକାଉଣ୍ଟାଣ୍ଟ ନିରାକାର ମହାକୁଡ ବିଡିଓଙ୍କୁ ଦାବିପତ୍ର ବାବଦରେ ଜଣାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ସମାଧାନ କରିବାକୁ ଚେଷ୍ଚା କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହର ହୋଇଥିଲା। ପରେ ଗ୍ରାମବାସୀଙ୍କ ତରଫରୁ ପୁଷ୍ପକ ମହାପାତ୍ର, ସେକ୍‌ ମୁସଲିମ ଖାନ, ସଂଗ୍ରାମ ମହାପାତ୍ରଙ୍କ ସମେତ ଅନ୍ୟମାନେ ଆକାଉଣ୍ଟାଣ୍ଟ ନିରାକାରଙ୍କୁ ଦାବିପତ୍ର ପ୍ରଦାନରେ କରିଥିଲେ।