ସରକାରୀ ଜମିରେ ଛତୁଆ ପ୍ରସ୍ତୁତି କେନ୍ଦ୍ର: ତହସିଲ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

କେନ୍ଦୁଝର,୧୨।୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ତଳଜାଗର ଡୁମୁରିଡିହି ସାହିରେ ସରକାରୀ ଜମିରେ ବେଆଇନ ଭାବେ ଛତୁଆ ପ୍ରସ୍ତୁତି କେନ୍ଦ୍ର ହୋଇଥିବା ଅଭିଯୋଗ କରାଯାଇଛି। ଏ ନେଇ ସ୍ଥାନୀୟ କେତେଜଣ ଲୋକ ବାଂଶପାଳ ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉ ବୋଲି ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୮ରେ ସରକାରୀ ଜମି ଜବରଦଖଲ କରି ସ୍ଥାନୀୟ ଏକ ସ୍ବୟଂସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି କେନ୍ଦ୍ର ନିର୍ମାଣ କରିଛି। ଉକ୍ତ କେନ୍ଦ୍ର ନିର୍ମାଣ ସମୟରେ ସେହି ସ୍ଥାନରେ ଥିବା ବହୁ ପୁରୁଣା ମୂଲ୍ୟବାନ ଗଛ କାଟି ଦିଆଯାଇଛି। ସରକାରୀ ଜମିରେ ସମ୍ପୃକ୍ତ ଗୋଷ୍ଠୀ ଛତୁଆ ପ୍ରସ୍ତୁତି କେନ୍ଦ୍ର ନିର୍ମାଣ କରିଥିବା ବେଳେ କିପରି ଋଣ ମଞ୍ଜୁର କରାଗଲା ତାହା ତଦନ୍ତସାପେକ୍ଷ। କ୍ଷେତ୍ର ଅନୁସନ୍ଧାନ ନ କରି କିପରି ସରକାରୀ ଜମିରେ ନିର୍ମିତ ଗୃହକୁ ଅନୁମତି ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଗୋଷ୍ଠୀର ଜଣେ ସଦସ୍ୟ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଶୁଆକାଟି ରାଜସ୍ବ ନିରୀକ୍ଷକ ତରଣୀସେନ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ସ୍ଥାନ ମାପଚୁପ କରି ବାଂଶପାଳ ତହସିଲଦାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି। ବାଂଶପାଳ ତହସିଲଦାର ତ୍ରିନାଥ ଦାସ ଅଭିଯୋଗ ପରେ ଘଟଣାର ତଦନ୍ତ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଶୁଆକାଟି ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି। ତେବେ ତହସିଲ ପକ୍ଷରୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଆ ନ ଗଲେ ବାଧ୍ୟ ହୋଇ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସିଡିପିଓ କୋପ୍ରା ମାଝୀଙ୍କୁ ପଚାରିବାରୁ ସେ ଯୋଗଦେବା ପୂର୍ବରୁ କେନ୍ଦ୍ର ଚାଲିଛି, ଏଣୁ ଜମି ବିଷୟରେ ଅବଗତ ନ ଥିବା କହିଛନ୍ତି।
ଫଟୋ-