ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅଙ୍ଗନଓ୍ବାଡି କର୍ମୀ ଗିରଫ

ସୋନପୁର/ତରଭା,୧୯।୨(ନି.ପ୍ର./ଡି.ଏନ.ଏ) – ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ ମଙ୍ଗଳବାର ତରଭା ବ୍ଲକର ୪ ପଞ୍ଚାୟତ ଗସ୍ତ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରେ ହଠାତ୍‌ ଜରାଜରିଙ୍ଗ ପଞ୍ଚାୟତର ତିଲେସରା ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। କେନ୍ଦ୍ରର ଶିଶୁମାନେ ଏହି ସମୟରେ ଏସଏନପି ଯୋଜନାରେ ଗରମ ରନ୍ଧା ଖାଦ୍ୟ ଖାଇ ଘରକୁ ଫେରି ସାରିଥିଲେ। ମଙ୍ଗଳବାର ଭାତ ସହିତ ଅଣ୍ଡା ତରକାରୀ ଦିଆଯାଇଥିଲା। ଅଇଁଠା ପ୍ଲେଟ୍‌ ଗଣିବାରୁ ୨୦ଶିଶୁ ଖାଦ୍ୟ ଖାଇଥିବା ଜଣାପଡିଥିଲା। ତେବେ ଅଙ୍ଗନଓ୍ବାଡି କର୍ମୀ ନିରୁପମା ବାଗ ଉପସ୍ଥାନ ଖାତାରେ ୨୮ଶିଶୁ ଦର୍ଶାଇଥିଲେ। ଖାତା ଯାଞ୍ଚ ପରେ ଅଧିକାଂଶ ଦିନ ୨୭ରୁ ୨୮ ଶିଶୁଙ୍କ ଉପସ୍ଥାନ ଥିବା ଜଣାପଡିଥିଲା। ଏହି ପ୍ରାକ୍‌ ବିଦ୍ୟାଳୟରେ ୦ରୁ ୫ ବର୍ଷର ମୋଟ ୨୮ ଶିଶୁ ନାମ ଲେଖାଇଛନ୍ତି । ଅଙ୍ଗନଓ୍ବାଡି କର୍ମୀ ଅନୁପସ୍ଥିତ ଥିବା ଶିଶୁଙ୍କୁ ଉପସ୍ଥିତ ଥିବା ଉପସ୍ଥାନ ଖାତାରେ ଦର୍ଶାଇ ଥିବାରୁ ଜିଲାପାଳ ବିରକ୍ତ ହୋଇଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ତରଭା ବିଡିଓ ନିହାର ରଞ୍ଜନ କହଁର ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ତରଭା ପୋଲିସ ପହଞ୍ଚତ୍ଥିଲେ। ଏହି ଘଟଣାରେ ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଜିଲାପାଳ ବାନାର୍ଜୀ ତରଭା ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଅପରାହ୍ନରେ ତରଭା ବ୍ଲକ ଅଫିସରେ ଜିଲାପାଳ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ସମୟରେ କେତେକ ଅଙ୍ଗନଓ୍ବାଡି କର୍ମୀ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ଅଙ୍ଗନଓ୍ବାଡି କର୍ମୀ ବାଗ୍‌ଙ୍କୁ ଏଥର କ୍ଷମା କରିଦେବା ପାଇଁ ସେମାନେ ଅନୁରୋଧ କରିଥିଲେ। ସନ୍ଧ୍ୟାରେ ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ ନେଇ ସିଡିପିଓ ସବିତା ଦୋରା ତରଭା ଥାନାରେ କର୍ମୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ଅଙ୍ଗନଓ୍ବାଡି କର୍ମୀଙ୍କୁ ଗିରଫ କରିଛି । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।