ସରକାରୀ ଅଧିକାରୀଙ୍କୁ ଏଜିଙ୍କ ପରାମର୍ଶ: କୋର୍ଟକୁ ଉପଯୁକ୍ତ ପୋଷାକ ପିନ୍ଧି ଆସ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାବେଳେ ସରକାରୀ ବାବୁମାନେ ପୋଷାକ ପ୍ରତି ଧ୍ୟାନ ଦେଉନାହାନ୍ତି। ଭଦ୍ରବ୍ୟକ୍ତି ଭାବେ ପୋଷାକ ପିନ୍ଧି ଆସୁ ନ ଥିବାରୁ ହାଇକୋର୍ଟ ବିଚାରପତିମାନେ କ୍ଷୁବ୍ଧ ହେଉଛନ୍ତି। ହାଇକୋର୍ଟଙ୍କ ଅସନ୍ତୋଷକୁ ଦେଖି ଆଡଭୋକେଟ ଜେନେରାଲ (ଏଜି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଓକିଲ ରମାକାନ୍ତ ମହାପାତ୍ର ଡ୍ରେସ୍‌ କୋଡ୍‌ ପ୍ରତି ଧ୍ୟାନ ଦେବାକୁ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏ ନେଇ ସେ ନିକଟରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି ଜଣାଇଛନ୍ତି। କୌଣସି ମାମଲାରେ ଅଫିସରମାନଙ୍କୁ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିଲେ ସେମାନେ ଉପଯୁକ୍ତ ପୋଷାକ ପିନ୍ଧି ଆସିବା ଦରକାର ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି। କୋର୍ଟଙ୍କ ଡ୍ରେସକୋଡ ଅନୁଯାୟୀ ଅଫିସରମାନେ ପୋଷାକ ପିନ୍ଧି ଆସୁ ନ ଥିବାରୁ ଅନେକ ସମୟରେ ବିଚାରପତିମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଥିଯୋଗୁ ଓକିଲମାନଙ୍କୁ ମାମଲା ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି। ଏହାଛଡ଼ା ଅଫିସରମାନେ ଅନେକ ସମୟରେ କୋର୍ଟରେ ନିର୍ଦ୍ଧାରିତ ସମୟରେ ସତ୍ୟପାଠ ଦାଖଲ କରୁନାହାନ୍ତି। ନିର୍ଦ୍ଧାରିତ ସମୟରେ ସତ୍ୟପାଠ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଏଜି ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି। ବିନା କାରଣରେ ଅନେକ ଅଧିକାରୀ ଠିକ୍‌ ସମୟରେ କୋର୍ଟରେ ସତ୍ୟପାଠ ଦାଖଲ କରୁ ନ ଥିବାରୁ କୋର୍ଟ ପ୍ରତିକୂଳ ରାୟ ଦେଉଛନ୍ତି। ପୋଷାକ ପିନ୍ଧାକୁ ନେଇ ୨୦୧୮ ମାର୍ଚ୍ଚରେ ସୁପ୍ରିମକୋର୍ଟ ରାଜସ୍ଥାନର ଜଣେ ବରିଷ୍ଠ ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ। ସେହିପରି ୨୦୧୭ରେ ମଧ୍ୟ ହିମାଚଳ ପ୍ରଦେଶ ହାଇକୋର୍ଟ ସରକାରୀ ଅଧିକାରୀଙ୍କୁ ଡ୍ରେସ କୋଡ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।