‘ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ’

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୧ା୨- ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏସବୁ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଆଦିବାସୀ ଏବଂ ପଛୁଆବର୍ଗର ଲୋକେ ଜାଣି ପାରୁନାହାନ୍ତି। ସରକାର ୫-ଟି ବ୍ୟବସ୍ଥା କରଛନ୍ତି। ଯଦି କେହି ସରକାରୀ କର୍ମଚାରୀ କୌଣସି ଯୋଜନାରୁ ହିତାଧିକାରୀଙ୍କୁ ବାଦ୍‌ ଦେବାକୁ ଚେଷ୍ଟା କରିବେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସରକାରୀ ଯୋଜନା ଉପରେ ଅବଗତ ହୋଇ ନିଜ ଆର୍ଥିକ ସ୍ଥିତି ମଜବୁତ କରିବା ଓ ଅନ୍ୟମାନଙ୍କୁ ଏହା ଜଣାଇବା ଶିବିରର ମୂଳ ଲକ୍ଷ୍ୟ ବୋଲି ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଫିରିଙ୍ଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ସମ୍ପର୍କ ଶିବିରରେ ପ୍ରକାଶ କରିଛନ୍ତି। ଆଦିବାସୀ ପିଲାମାନେ ଅନ୍ବେଷା ଯୋଜନାରେ ସହରାଞ୍ଚଳର ଅଗ୍ରଣୀ ଘରୋଇ ବିଦ୍ୟାଳୟରେ ମାଗଣାରେ ଇଂଲିଶ ମିଡିୟମ ସ୍କୁଲରେ ପଢ଼ିପାରିବେ। ଛାତ୍ରାବାସ, ଛାତ୍ରବୃତ୍ତି ଓ ଦେୟମୁକ୍ତ ଆବାସିକ ଶିକ୍ଷା ବ୍ୟବସ୍ଥା ରହିଛି। ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଜନଜାତିମାନଙ୍କ ସଂସ୍କୃତି, ସାମାଜିକ ପ୍ରଥା, ନୃତ୍ୟଗୀତ, ପୂଜାପାଠର ରକ୍ଷଣାବେକ୍ଷଣ କରାଯାଉଛି। ଏପରି ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି ବୋଲି ଶିବିରରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ବ୍ଳକ ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ, ବିଡିଓ ରଶ୍ମି ରଞ୍ଜନ ମହନ୍ତ, ଆଦିବାସୀ ନେତା ସୁଦର୍ଶନ କହଁର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ସଭ୍ୟ ପଞ୍ଚାନନ ନାଏକ, ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯୋଜନା ଉପରେ କହିଥିଲେ। ବ୍ଲକ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।