ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, କହିଲେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି

ପୁରୀ ଅଫିସ, ୩୧।୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶନିବାର ଏ ନେଇ ମୁହଁ ଖୋଲିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ବତୀ। ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ଏକ ଖବରଦାତା ସମ୍ମିଳନୀ କରି ସେ ସରକାରଙ୍କ ଉପରେ ବର୍ଷିବା ସହ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁରୀ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି। ମଠ ପରିଚାଳନା ସ୍ବତନ୍ତ୍ରଭାବେ ହେବା ଉଚିତ। ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି, ସେକୁଲାର ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନ ହେଉ। ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ଏହା ପରିଚାଳିତ ହେଉ। ଏହି ଅବସରରେ ବିପି ଦାସ କମିଶନ କ’ଣ ପାଇଁ ମୋର ପରାମର୍ଶ ନେଲେ ନାହିଁ। କେଉଁ ଶାସନତନ୍ତ୍ର ତାଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଆସିବାକୁ ରୋକିଲା ନେଇ ସେ ପ୍ରଶ୍ନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେଉ। ଏ ନେଇ ଏକ ଯାଞ୍ଚ ସମିତି ଗଠନ କରାଯାଉ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ସେ କମିଶନଙ୍କ ରିପୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀଙ୍କ ପଦକ୍ଷେପ, ଶ୍ରୀମନ୍ଦିର ପୂର୍ବ ପ୍ରଶାସକଙ୍କ ଉପରେ ମଧ୍ୟ ସେ କହିଛନ୍ତି।