ସମ୍ମୁଖରେ ଜଗିଛି ପୋଲିସ, ପଛପଟୁ ଚୋରି

ଭଞ୍ଜନଗର,୨୬।୭(ଡି.ଏନଏ)-ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକ ସହରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ବ୍ୟାଙ୍କ ଥିବା ଯୋଗୁ ଏଠାରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତିସାରା ପୋଲିସ ଜଗି ରହୁଛି। ବ୍ୟାଙ୍କଠାରୁ ୧୦୦ ମିଟର ଦୂରରେ ଡାକ୍ତରଖାନା, ୫୦ ମିଟର ଦୂରରେ ଏସ୍‌ଡ଼ିପିଓ ଅଫିସ୍‌ ଓ କ୍ୱାର୍ଟର, ଡ଼ିଏଫଓ କ୍ୱାର୍ଟର। ବ୍ୟାଙ୍କ ଛକରେ ପୋଟ୍ରୋଲ ଟାଙ୍କି ମଧ୍ୟ ଅଛି। ଉକ୍ତ ଛକରେ ଘରୋଇ ଘୁମୁସର ହସ୍ପିଟାଲ ସହ ୨ଟି ବଡ଼ ହୋଟେଲ ମଧ୍ୟ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ରହୁଛି। ତଥାପି ଦୁର୍ବୃତ୍ତମାନେ ବୁଧବାର ରାତିରେ ବ୍ୟାଙ୍କର ଗୋଟିଏ ଘର ଛାଡ଼ିଥିତ୍ବା ଏକ ଷ୍ଟୁଡିଓରୁ ଚୋରି କରିଛନ୍ତି। ବ୍ୟାଙ୍କ ସମ୍ମୁଖ ଭାଗ ଛକରେ ପୋଲିସ ପଇଁତରା ମାରୁଥିବା ବେଳେ ଦୁର୍ବୃତ୍ତମାନେ ନିକଟସ୍ଥ ଜେ.କେ.ଷ୍ଟୁଡ଼ିଓ ପଛ ଆଡ଼ୁ ଆସି ଭେଣ୍ଟିଲେଟର ଭାଙ୍ଗି ଭିତରେ ପଶି ୧୨ ହଜାର ଟଙ୍କା, କମ୍ପ୍ୟୁଟର, କ୍ୟାମେରା ଆଦି ଲୁଟି ନେଇଛନ୍ତି। ଗୁରୁବାର ସକାଳେ ଷ୍ଟୁଡିଓ ମାଲିକ ଜୟକୃଷ୍ଣ ପଟ୍ଟନାୟକ ଏହା ଦେଖି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି। ଷ୍ଟୁଡ଼ିଓ ପଛ ପଟେ ଏନଏସି ପୋଖରୀ ଥିତ୍ବା ଯୋଗୁ ରାତିରେ ଉକ୍ତ ଅଞ୍ଚଳଟି ନିଛାଟିଆ ରହୁଛି। ଏହାର ସୁଯୋଗ ନେଇ ଦୁବୁର୍ତ୍ତମାନେ ଚୋରି କରିବାରେ ସକ୍ଷମ ହୋଇଛନ୍ତି। ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅପରପକ୍ଷେ ଗତ କିଛିଦିନ ହେଲା ଭଞ୍ଜନଗର ଥାନା ଅଞ୍ଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କେତେକ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହେଉଥିଲେ ମଧ୍ୟ ଅପରାଧ କମୁ ନଥିବାରୁ ଚିନ୍ତାର କାରଣ ସାଜିଛି। ଏଭଳି ସ୍ଥିତିରେ ଭଞ୍ଜନଗର ପୋଲିସ ସହରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା ଚଳାଇଛି । ୪ବର୍ଷ ପୂର୍ବେ ସହରର ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ।