ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଆୟୋଜିତ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ (ଭାରତ ଅଞ୍ଚଳ) ସମ୍ମିଳନୀରେ ଯୋଗଦେଇଛନ୍ତି ା ଲକ୍ଷ୍ନୌ ବିଧାନଭବନରେ ଆୟୋଜିତ ଏହି ସମ୍ମିଳନୀରେ ଲୋକ ସଭା ଓ ରାଜ୍ୟ ବିଧାନସଭାର ଉପଯୁକ୍ତ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଦେଶର ସମ୍ବିଧାନ ଓ ବିଧାନସଭା ପରିଚାଳନା ନିୟମାବଳୀ ଅନୁଯାୟୀ ଗୃହ ପରିଚାଳନା ଠିକ୍‌ ଭାବେ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏମ୍‌ପି, ବିଧାୟକ ଓ ଗୃହର କର୍ମଚାରୀମାନଙ୍କୁ ଗୃହ ପରିଚାଳନାରେ ସହାୟତା ପ୍ରଦାନ, ଉତ୍ତମ ପ୍ରଶାସନ ସମ୍ପର୍କିତ ମାନକ ଚିହ୍ନଟୀକରଣ ତଥା ରାଜ୍ୟଗୋଷ୍ଠୀର ମୂଲ୍ୟବୋଧକୁ କାର୍ଯ୍ୟାନ୍ବୟନ କରିବା ଆଦି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପୂର୍ଣ୍ଣ ଅଧିବେଶନ ଅବସରରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅନ୍ୟତମ ସଦସ୍ୟ ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ‘ବଜେଟ ପ୍ରସ୍ତାବ ସମୀକ୍ଷା ନିମିତ୍ତ ବିଧାୟକମାନଙ୍କ ସାମର୍ଥ୍ୟ ବୃଦ୍ଧି’ ଓ ‘ବିଧାୟକ କାର୍ଯ୍ୟରେ ବିଧାୟକମାନଙ୍କ ଧ୍ୟାନ ପରିବର୍ଦ୍ଧନ’ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ବାଚସ୍ପତି, ଉପବାଚସ୍ପତି, ବିଧାନସଭାର ପ୍ରମୁଖ ସଚିବ/ସଚିବଙ୍କ ସମେତ ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ସମ୍ମିଳନୀକୁ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ, ଉତ୍ତରପ୍ରଦେଶ ଶାଖା ଦ୍ୱାରା ଆୟୋଜନ କରାଯାଉଛି। ୧୮ରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଡ. ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳୀରେ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ବିଧାନସଭା ସଚିବ ଦାଶରଥି ଶତପଥୀ ପ୍ରମୁଖ ସାମିଲ ଅଛନ୍ତି।