ସମ୍ମାନିତ ହେଲେ ସଫେଇ କର୍ମଚାରୀ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍‌ ସ୍ପ୍ରେ କରିବା ସହ ସଫେଇ କାମ କରୁଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ମଧୁବନସ୍ଥିତ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗାନ୍ଧୀମୂର୍ତ୍ତି ପାଖରେ ସଫେଇ କର୍ମଚାରୀମାନଙ୍କୁ ଫୁଲହାର ଓ ଗାମୁଛା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର୍‌, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସମ୍ମାନିତ କରିଥିଲେ।