ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। ବାସ୍ତବ କଥା ହେଉଛି, ଯେଉଁ ଦଳ ଶାସନ କରୁ ବା ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହୁଅନ୍ତୁନା କାହିଁକି, ପ୍ରତ୍ୟେକ ବର୍ଷ ଆପେଆପେ ନାମାଙ୍କନ ମୂଲ୍ୟରେ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ମଧ୍ୟ ବୃଦ୍ଧିପାଇବ। ନାମାଙ୍କନ ଜିଡିପି ମଧ୍ୟ ବୃଦ୍ଧି ପାଇବ। କେବଳ କରୋନା ପରି ଦୁଃସମୟ ବା ବିଶ୍ୱ ଆର୍ଥିକ ସଙ୍କଟ ଭଳି ବିଭିନ୍ନ ଖରାପ ପରିସ୍ଥିତିକୁ ଛାଡ଼ିଦେଲେ ଏସବୁ ସର୍ବଦା ବୃଦ୍ଧି ପାଇଥାଏ। ମୁଦ୍ରାସ୍ଫୀତି ମଧ୍ୟ ସମ୍ପୂର୍ଣ୍ଣ ମୂଲ୍ୟକୁ ବୃଦ୍ଧିକରେ। ଏଣୁ ବଜେଟକୁ ସମୀକ୍ଷା କଲାବେଳେ ନାମାଙ୍କନ ଜିଡିପି ଅନୁସାରେ ବିଭିନ୍ନ ବ୍ୟୟ, ବିତ୍ତୀୟ ସୂଚକାଙ୍କ ମୂଲ୍ୟକୁ ବିଚାରକୁ ନିଆଯାଇଥାଏ।
୨୦୨୫-୨୬ ବର୍ଷ ପାଇଁ ନାମାଙ୍କନ ଜିଡିପି ୧୦.୧% ଏବଂ ପ୍ରାୟସ ଦ୍ୱାରା ଆକଳିତ ମୁଦ୍ରାସ୍ଫୀତିକୁ (୨.୩ ରୁ ୩.୮%) ବିଚାରକୁ ବାସ୍ତବ ଜିଡିପି ୬.୩ରୁ ୬.୮ % ହେବ ବୋଲି ଆକଳନ କରାଯାଇ ବଜେଟ ଉପସ୍ଥାପନ କରାଯାଇଥିଲା। ତଥାପି ବାସ୍ତବ ଜିଡିପି ଅଭିବୃଦ୍ଧି ବର୍ତ୍ତମାନ ୭.୪% ହେବ ବୋଲି ଆକଳନ କରାଯାଇଥିବା ବେଳେ ନାମାଙ୍କନ ଜିଡିପି ଅଭିବୃଦ୍ଧି ୮% କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି, ଯାହା ଆର୍ଥିକ ଗଣିତକୁ ବିଚଳିତ କରୁଛି। ବିଶେଷକରି ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ନିର୍ଭରଶୀଳତା ଯୋଗୁ ଜିଡିପି ଆକଳନରେ ତ୍ରୁଟି ରହୁଛି ଏବଂ ମୁଦ୍ରାସ୍ଫୀତିର ପ୍ରଭାବ ଠିକ୍‌ ଭାବେ ମୂଲ୍ୟାୟନ ହୋଇପାରୁନାହିଁ। ଏହି ୨୦୨୬-୨୭ ବଜେଟରେ ନାମାଙ୍କନ ଜିଡିପି ୧୦% ଏବଂ ପ୍ରାୟସ ଦ୍ୱାରା ଆକଳିତ ମୁଦ୍ରାସ୍ଫୀତିକୁ (୨.୮ ରୁ ୩.୨%) ବିଚାରକୁ ନେଇ ବାସ୍ତବ ଜିଡିପି ୬.୮ ରୁ ୭.୨% ହେବ ବୋଲି ଆକଳନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟରେ ମୋଟ ବ୍ୟୟବରାଦ ୫୦,୬୫,୩୪୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୨୦୨୬-୨୭ରେ ୫୩,୪୭,୩୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ ମାତ୍ର ୫.୫% ବୃଦ୍ଧି। ଗତବର୍ଷର ସଂଶୋଧିତ ଅଟକଳ ଉପରେ ମାତ୍ର ୭.୭୦% ବୃଦ୍ଧି। ଏହାର ଅର୍ଥ ବଜେଟର ଆକାର ବୃଦ୍ଧି ଧାର୍ଯ୍ୟ ନାମାଙ୍କନ ଜିଡିପି ବୃଦ୍ଧି ହାର ୧୦%ଠାରୁ କମ୍‌। ଏହାର ଅର୍ଥ ବଜେଟ ଏକ ସଙ୍କୁଚିତ ବଜେଟ। ଚିନ୍ତାଜନକ ବିଷୟ ହେଉଛି ୨୦୨୫-୨୬ ବଜେଟର ସଂଶୋଧିତ ଆକଳନରେ ମୋଟ ବ୍ୟୟବରାଦ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୯,୬୪,୮୪୨ କୋଟି ଟଙ୍କା ହୋଇଛି। ଫଳରେ ଶିକ୍ଷା, ସ୍ବାସ୍ଥ୍ୟ , ଗ୍ରାମୀଣ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଧାର୍ଯ୍ୟ ବ୍ୟୟବରାଦ ହ୍ରାସ ପାଇଛି। ନାମାଙ୍କନ ଅଭିବୃଦ୍ଧି କମ୍‌ ହେବା ଏବଂ ସଂଶୋଧିତ ଆକଳନରେ ମୋଟ ବ୍ୟୟବରାଦ ହ୍ରାସ ପାଇବା କିଛି ବର୍ଷହେବ ଦେଖିବାକୁ ମିଳୁଛି, ଯାହା ଚିନ୍ତାଜନକ। ୨୦୨୪-୨୫ ରେ ସଂଶୋଧିତ ବଜେଟ ଆକଳନ ୧,୦୪,୦୨୫କୋଟି ଟଙ୍କା ହ୍ରାସ ପାଇ ନ ଥିଲା।
ଅତ୍ୟନ୍ତ ଚିନ୍ତାଜନକ ହେଉଛି ଜିଡିପି ଅନୁସାରେ ଭାରତରେ ମୋଟ ବ୍ୟୟ ବରାଦ ବହୁତ କମ୍‌। ୧୯୭୦ରୁ ୨୦୨୩ ମଧ୍ୟରେ ଭାରତରେ ଏହା ହାରାହାରି ୧୫.୧୧% ହୋଇଥିଲା। ୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୧୭.୭% ଥିଲାବେଳେ ୨୦୨୪-୨୫ ରେ ୧୪.୬ % କୁ ହ୍ରାସ ପାଇଥିଲା ଏବଂ ୨୦୨୫-୨୬ରେ ୧୪.୨%କୁ ହ୍ରାସ ପାଇବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୦୨୬-୨୭ରେ ଏହା ପୁନଶ୍ଚ ୧୩.୬% କୁ ହ୍ରାସ ପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟର ବ୍ୟୟ ମିଶି ୨୦୨୪ରେ ଜିଡିପିର୨୮.୩୮ % ହୋଇଥିଲାବେଳେ ଏହା ଫ୍ରାନ୍ସରେ ୫୭.୧୭% , ଇଟାଲୀ ୫୦.୫୬ % ,ୟୁରୋ ଏରିଆ ୪୯.୫% , ଜର୍ମାନୀ ୪୮.୪%, ସ୍ପେନ୍‌ ୪୫.୩୪%, ଜାପାନ ଏବଂ ଗ୍ରେଟ୍‌ ବ୍ରିଟେନ ୩୯.୧% , ଆମେରିକାରେ ୩୭.୯୨% ଓ ସୁଇଜରଲାଣ୍ଡ ୩୨% ରହିଛି। ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି ରିଜର୍ଭ ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ପ୍ରଚୁର ଲାଭାଂଶ ଓ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଚି ପ୍ରତ୍ୟାହାର ବାବଦରେ ପ୍ରଚୁର ସମ୍ବଳ (ଏ ବର୍ଷ ୮୦,୦୦୦ କୋଟି ଟଙ୍କା) ପ୍ରାପ୍ତ ସତ୍ତ୍ୱେ ଆଶାନୁରୂପ ଭାବେ ମୋଟ ରାଜସ୍ବ ବୃଦ୍ଧି ପାଉନାହିଁ।
୨୦୨୫-୨୬ରେ ମୋଟ ରାଜସ୍ବ ପ୍ରାପ୍ତି ୩୪.୨୦ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲାବେଳେ ଏହା ସଂଶୋଧିତ ଅଟକଳରେ ୩୩.୪୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୨-୨୩ ପରଠାରୁ ଏହି ହ୍ରାସ ପ୍ରକ୍ରିୟା ବେଶି ଦେଖା ଦେଇଛି। ୨୦୨୬-୨୭ରେ ୩୫.୩୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି। ଏହି ବୃଦ୍ଧି ଆଶାନୁରୂପ ନୁହେଁ। ବେଶି ଚିନ୍ତାର ବିଷୟ ହେଉଛି ଟିକସ ଫାଙ୍କି ରୋକିବାରେ ବିଫଳ ହେବା ଏବଂ ଧନୀ ଓ କର୍ପୋରେଟମାନଙ୍କୁ ଅଧିକ ରିହାତି ଦେବା ଯୋଗୁ ଜିଡିପି ଅନୁସାରେ ଟିକସ ଅନୁପାତ ହ୍ରାସ ପାଇଚାଲିଛି। ଏହା ୨୦୧୩-୧୪ରେ ୧୧.୫% ଥିଲାବେଳେ ୨୦୨୫-୨୬ରେ ୧୧.୪%କୁ ହ୍ରାସ ପାଇଥିଲା ଏବଂ ୨୦୨୬-୨୭ରେ ଆହୁରି ୧୧.୨% କୁ ହ୍ରାସ ପାଇବ। ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ର ଟିକସ ମିଶି ୧୭ ରୁ ୧୮% ହେଲା ବେଳେ ଓଇସି ଦେଶରେ ଏହା ହାରାହାରି ୩୫%। ଯେତେବେଳେ ଧନୀଙ୍କ ଉପରେ ସମ୍ପଦ କର ଓ କର୍ପୋରେଟ ଟିକସ ହାର ବୃଦ୍ଧିକରି ଅଧିକ ସମ୍ବଳ ସଂଗ୍ରହ କରି ଜନହିତକର କାର୍ଯ୍ୟରେ ବ୍ୟୟ କରିବାର ଥିଲା, ସେତେବେଳେ କର୍ପୋରେଟଙ୍କ ସ୍ବାର୍ଥ ସାଧନ ପାଇଁ ସର୍ବନିମ୍ନ ବିକଳ୍ପ ଟିକସକୁ ୧୫% ରୁ ୧୪%କୁ ହ୍ରାସ କରିଛନ୍ତି। ଏହା ଅଯୌକ୍ତିକ ଏବଂ ନିନ୍ଦନୀୟ, ବିଶେଷକରି ଯେତେବେଳେ ଗରିବମାନେ ପରୋକ୍ଷ ଟିକସ ଦ୍ୱାରା ଅସମାନୁପାତିକ ଭାବରେ ବୋଝ ହୁଅନ୍ତି।
ଅର୍ଥମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି, ଗତ ୧୨ବର୍ଷ ଧରି ଭାରତର ଅର୍ଥନୈତିକ ଗତିପଥ ସ୍ଥିରତା, ଆର୍ଥିକ ଶୃଙ୍ଖଳା, ନିରନ୍ତର ଅଭିବୃଦ୍ଧି ଏବଂ ମଧ୍ୟମ ମୁଦ୍ରାସ୍ଫୀତି ଦ୍ୱାରା ଚିହ୍ନିତ ହୋଇଛି। ବିତ୍ତୀୟ ନିଅଣ୍ଟ ଜିଡିପି ଅନୁସାରେ ୨୦୨୫-୨୬ରେ ୪.୪% ଥିଲାବେଳେ ୨୦୨୬-୨୭ରେ ୪.୩%କୁ ହ୍ରାସ ପାଇବ ଏବଂ କେନ୍ଦ୍ର ଋଣ-ଜିଡିପି ଅନୁପାତ ୫୬.୧ %ରୁ ୫୫.୬ % ହ୍ରାସ ପାଇବ। କିନ୍ତୁ ସରକାର ୨୦୨୬-୨୭ରେ ୧୬,୯୫,୭୬୮ କୋଟି ଟଙ୍କା ଋଣ କରିବେ ଯାହା ପୂର୍ବବର୍ଷ ୧୫,୫୮,୪୯୨ କୋଟି ଟଙ୍କା ତୁଳନାରେ ଅଧିକ। କେବଳ ଡେଟେଡ୍‌ ସିକ୍ୟୁରିଟିଜ ମାଧ୍ୟମରେ ବଜାରରୁ ୧୧.୭ ଲକ୍ଷ କୋଟି ଟଙ୍କା ଋଣ କରିବେ। କିନ୍ତୁ ଅସଲ କଥା ହେଉଛି ବହୁ ଆଗରୁ ପ୍ରଚଳିତ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା ଆଇନ (ଏଫ୍‌ଆର୍‌ବିଏମ୍‌)ଅନୁସାରେ ବିତ୍ତୀୟ ନିଅଣ୍ଟ ଓ କେନ୍ଦ୍ର ଋଣ ଜିଡିପି ଅନୁସାରେ ଯଥାକ୍ରମେ ୩% ଓ ୪୦% ରହିବା ଆବଶ୍ୟକ। କିନ୍ତୁ କରୋନା ମହାମାରୀ ଯୋଗୁ ୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ୯.୩% ଏବଂ ଋଣ ୬୧.୫% କୁ ବୃଦ୍ଧି ପାଇଥିଲା। ସରକାର ଏ ପର୍ଯ୍ୟନ୍ତ ସେହି ସମସ୍ୟାରୁ ମୁକୁଳିପାରିନାହାନ୍ତି। ଏଥିପାଇଁ ଏକ କୋହଳ ନିୟମ କରିଛନ୍ତି। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ଋଣ ମିଶି ଜିଡିପିର ୮୨% ପାଖାପାଖିରେ ଅଛି, ଯାହା ୬୫%ରେ ସୀମିତ ରହିବା ଉଚିତ। କିନ୍ତୁ ବେଶି ଚିନ୍ତାର ବିଷୟ ହେଉଛି ସୁଧ ବାବଦରେ ସରକାର ବଜେଟର ୨୦% ବ୍ୟୟ କରୁଛନ୍ତି। ସୁଧ ବାବଦ ଦେୟ ମୋଟ ରାଜସ୍ବ ପ୍ରାପ୍ତିର ୨୫%ରେ ରହିବା କଥା , କିନ୍ତୁ ଗତବର୍ଷ ୩୭% ଧାର୍ଯ୍ୟ କରାଯାଇଥିଲାବେଳେ ସଂଶୋଧିତ ଅଟକଳରେ ୩୮.୧୨% କୁ ବୃଦ୍ଧି ପାଇଛି ଏବଂ ୨୦୨୫-୨୬ରେ ଏହା ୩୯.୭୩%କୁ ବୃଦ୍ଧିପାଇବ। ଗୋଟିଏ ପଟେ ଋଣ ବୃଦ୍ଧି ପାଇବା ଓ ଅନ୍ୟ ପଟେ ସୁଧ ବାବଦ ଦେୟ ବୃଦ୍ଧି ପାଇବା ଦର୍ଶାଉଛି ଯେ ଆର୍ଥିକ ସ୍ଥିତି ଭଲ ନାହିଁ ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ: ୯୪୩୭୨୦୮୭୬୨

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri