ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର,୫।୧(ବ୍ୟୁରୋ): ଆମର୍‌ ସଂସ୍କୃତି ଆରମ୍‌ ଟେକ୍‌ ଅଟେ । ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଲେ, ଜାତିର ସମ୍ମାନ ବୃଦ୍ଧି ହୋଇଥାଏ। ତେଣୁ ପ୍ରତ୍ୟେକସ୍ତରରୁ ଲୋକ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକତା ରହିଛି। ନଚେତ ଅବଲୁପ୍ତ ପ୍ରାୟ କଳା ସହ ଜାତି ମଧ୍ୟ ଅଦିନିଆ ଝଡରେ ଝଡି ପଡିବ। ଶନିବାର ଅଇଁଠାପାଲି ପିଏଚ୍‌ଡି ପଡ଼ିଆ ମଞ୍ଚରେ ଉଦ୍‌ଘାଟିତ ୨୩ତମ ସମ୍ବଲପୁର ଲୋକ ମହୋତ୍ସବ- ୨୦୨୦ରେ ଅତିଥିମାନେ ଏହା କହିଛନ୍ତି। ମୁଖ୍ୟ ସଂଯୋଜକ ସୌମେନ୍ଦ୍ର ପୂଜାରୀଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା । ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ହଳଧର ନାଗ, ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଡିଏଫଓ ଡ. ସଞ୍ଜୀତ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲୋକ ସଂଗୀତରେ ଜୀବନ ବ୍ୟାପି ସାଧନା ପାଇଁ ସନ୍ତୋଷ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଷାକୁ ନେଇ ପ୍ରସ୍ତୁତ ହୋଇଥିବା ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆୟୋଜକ ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲାପାଳ ଶୁଭମ ସକସେନା ମହୋତ୍ସବ ବିଷୟରେ ସୂଚନା ପ୍ରଦାନ କରିଥିଲେ । ନୋଡାଲ ଅଧିକାରୀ ସୁକାନ୍ତ ତ୍ରିପାଠୀ, ମଞ୍ଚ ଓ ପ୍ରେକ୍ଷାଳୟ ଉପକମିଟି ଆବାହକ ନନ୍ଦକିଶୋର ସାହୁ, ସତ୍ୟରଞ୍ଜନ ବେହେରା, ସମ୍ବର୍ଦ୍ଧନା ଆବାହକ ସୂର୍ଯ୍ୟୟ ପାଣିଗ୍ରାହୀ, ଅଭ୍ୟର୍ଥନା ଆବାହକ ଭୋଳା ମହତମ, ଦଳ ଆବାହକ ଦୁର୍ଗା ଦାଶ, ସ୍ମରଣୀକା ଆବାହକ ଗୁଣରଞ୍ଜନ ସାଲିମା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘୋଷକ କମିଟି ଆବାହକ ତର୍ପଣ କୁମାର ପ୍ରଧାନ ପରିଚାଳନା ଏବଂ ରାମାଶିଷ ତ୍ରିପାଠୀ ଓ ସୀମାନ୍ତିକା ଦାଶ, ମାନସ ମିଶ୍ର ପ୍ରମୁଖଙ୍କ ସଂଯୋଜନାରେ ଲୋକଗୀତ ଓ ଲୋକନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଇମା ଶୀତ କରୁଛେ ରେ ଯମୁନାର ପାଏନ୍‌…, ମୂରଲୀକେ ସୁରେ ସୁରେ ବଜା…, ଇ ମୂରଲୀର ଆଗର କହର…, ଝରିରେ ମଲିରେ ମୋର ନାଁ ଝାରର ମଲି… ଗୀତରେ ଦର୍ଶକ ବିମୋହିତ ହୋଇଥିଲେ। ଗୀତଗୁଡିକୁ ଶଙ୍କର ଦତ୍ତା, ଡା. ସବିତା ହୋତା, ଦିଲୀପ ବାଗ ଓ ଗୀତାଞ୍ଜଳି ପୋଢ଼ ଗାନ କରିଥିଲେ । ପାରଶ ହରିପାଲ ସ୍ବର ସଂଯୋଜନା କରିଥିବା ବେଳେ ଚନ୍ଦ୍ରଶେଖର ଦୁବେ, ପ୍ରୟାଗରାଜ ବେହେରା, ପ୍ରଭାତ ହରିପାଲ, ସୋମନାଥ ଜାଲ, ଭକ୍ତରାଜ ସୁନା, ହରି ମହାନନ୍ଦ, ମଧୁସୂଦନ ଗର୍ଡିଆ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଲୋକନୃତ୍ୟ ପର୍ଯ୍ୟାୟରେ ମୟୂର ନୃତ୍ୟ, ଢ଼ାବ, ଘୁବକୁଡୁ, କାଳବେଲିଆ, ସମ୍ବଲପୁରୀ, ଘୁମୁରା ପ୍ରଭୃତି ପରିବେଶିତ ହୋଇଥିଲା । ମହୋତ୍ସବ ପରିସରରେ ଚିତ୍ରକଳା ପ୍ରଦର୍ଶନୀ ଓ ଷ୍ଟଲଗୁଡିକୁ ଅତିଥିମାନେ ଶୁଭାରମ୍ଭ କରିଥିଲେ।