ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର ଗୁରୁବାର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେମେଷ୍ଟ୍ରି ପେପର୍‌ ଲିକ୍‌ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଏହା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଟିମ୍‌ ଜିଲାର ବିଭିନ୍ନ କଲେଜରେ ଚଢ଼ାଉ କରି ଯାଞ୍ଚ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଭିଯୋଗ ପାଇବା ପରେ ନୂତନ ସେଟ ପ୍ରଶ୍ନପତ୍ର କଲେଜଗୁଡିକୁ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୧୦୫ କଲେଜର ୧୪୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାୟକ କହିଛନ୍ତି ଯେ, କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ବୁଧବାର ବିଳମ୍ବିତ ରାତ୍ରିରେ ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଜାଣିବାକୁ ପାଇଥିଲୁ। ଏକ ଜରୁରୀ ବୈଠକ କରି ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ସହ ବିଭିନ୍ନ କଲେଜରେ ଚଢ଼ାଉ କରାଯାଇଥିଲା। ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେ କହିଛନ୍ତି ।