ସମ୍ବଲପୁରରେ ବନ୍ଦ ପାଳନ

ସମ୍ବଲପୁର,୫।୨(ବ୍ୟୁରୋ): ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଓକିଲ ସଂଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ନାଗରିକ କମିଟି ସଦସ୍ୟ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତା, ଜିଲା ଓକିଲ ସଂଘ ସାମିଲ ହୋଇଛନ୍ତି। ଫାଟକ ରେଳ ଷ୍ଟେଶନରେ ରେଳ ରୋକୋ କରାଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ ଜାତୀୟ ରାଜପଥ ୫୫, ଅଇଁଠାପାଲି ଛକରେ ପିକେଟିଂ କରି ରାସ୍ତାରୋକ କରାଯାଇଛି। ଦୋକାନ, ବଜାର, ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଜନସାଧାରଣମାନେ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସିଏସି ଆହ୍ବାନରେ ଆନ୍ଦୋଳନ ଜାରି ରହିଛି। ଅପରପକ୍ଷେ ଆଇନଜୀବିମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି। ବାର କାଉନସିଲ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ବାର କାଉନସିଲ ମିଶି ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ଏପରିକି ଓଡିଶା ରାଜ୍ୟ ବାର କାଉନସିଲ ଆନ୍ଦୋଳନକାରୀଙ୍କ ନାମ ଗୁଡିକ ସୂଚନା ଦେଇଛନ୍ତି। ଏହାର ତୀବ୍ର ବିରୋଧ କରି ପଶ୍ଚିମ ଓଡିଶା ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳସ୍ବରୂପ ବୁଧବାର ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଇଛି।