ସମ୍ପାଦକୀୟ/ସାଙ୍ଗ ନ ହେଲେ ଶତ୍ରୁ

ଉତ୍ତର କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୩୦ ଜୁନ୍‌, ୨୦୧୯ରେ ପାଦ ଦେବା ପରେ ସମଗ୍ର ବିଶ୍ୱରେ ଚହଳ ପଡ଼ିଯାଇଛି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବା ଅଣସାମରିକ ମଣ୍ଡଳ (ଡିଏମ୍‌ଜେଡ୍‌) ଅତିକ୍ରମ କରି ପ୍ୟେଙ୍ଗ୍‌ୟାଙ୍ଗ୍‌ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ସାକ୍ଷାତ୍‌ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ଦାୟିତ୍ୱରେ ଥିବା ପ୍ରଥମ ଆମେରିକା ରାଷ୍ଟ୍ରପତି। ଉଲ୍ଲେଖଯୋଗ୍ୟ ଯେ, ଡିଏମ୍‌ଜେଡ୍‌ ହେଉଛି କୋରିଆ ଉପଦ୍ୱୀପକୁ ଦୁଇ ଭାଗରେ ବିଭକ୍ତ କରୁଥିବା ସୀମା, ଯାହା ଅସ୍ତ୍ରବିରତି ଅଞ୍ଚଳ ଭାବେ ଜଣାଶୁଣା। ସିଓଲରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କ ସହ ଭେଟଘାଟ ପରେ ଟ୍ରମ୍ପ୍‌ ଯେତେବେଳେ ଉତ୍ତର କୋରିଆରେ ପାଦ ଥାପି କିମ୍‌ଙ୍କ ସହ କରମର୍ଦ୍ଦନ କଲେ, ଏହା ବିଶ୍ୱ କୂଟନୈତିକ ଦୁନିଆକୁ ଦୋହଲାଇ ଦେଇଛି। ୧୯୫୦ରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇ ୧୯୫୩ରେ ଶେଷ ହୋଇଥିଲା। ଆର୍ମିଷ୍ଟାଇସ୍‌ ବଳରେ କୋରିଆ ଯୁଦ୍ଧର ଅବସାନ ଘଟିବା ପରଠାରୁ ଉତ୍ତର କୋରିଆ ଓ ଆମେରିକାର କୌଣସି ନେତା ଡିଏମ୍‌ଜେଡ୍‌ରେ ଏକାଠି ହୋଇ ନ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ୨୦୧୭ରେ ଉତ୍ତର କୋରିଆ ବାରମ୍ବାର ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଓ୍ବାଶିଂଟନ ସହ ପ୍ୟେଙ୍ଗ୍‌ୟାଙ୍ଗ୍‌ର ତିକ୍ତତା ବୃଦ୍ଧି ପାଇଥିଲା। ହେଲେ ୨୦୧୮ ଜୁନ୍‌ରେ ଦୁଇ ନେତା ସିଙ୍ଗାପୁରରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଅନୁରୂପ ଭାବେ ଫେବୃୟାରୀ ୨୦୧୯ରେ ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇପାରି ନାହିଁ। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍‌ ଯେଭଳି ଭାବେ ନିଜ ଆଡ଼ୁ ସମ୍ପର୍କ ବୃଦ୍ଧି ସକାଶେ ସୂତ୍ରପାତ କଲେ, ତାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ନୂଆ ଦିଗ ଉନ୍ମୋଚନର ସମ୍ଭାବନା ସୃଷ୍ଟି କରିଛି।
ଏକଜିଦିଆ ଓ ଆକ୍ରମଣାତ୍ମକ ଚରିତ୍ରର ବ୍ୟକ୍ତିଦ୍ୱୟ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌। ସେମାନଙ୍କ କାର୍ଯ୍ୟକଳାପକୁ ନିଜ ଦେଶ ସମେତ ବିଶ୍ୱସ୍ତରରେ ନିନ୍ଦା କରାଯାଇଆସୁଛି। ଅନ୍ତର୍ଜାତୀୟ ସ୍ତରରେ ଟ୍ରମ୍ପ୍‌ଙ୍କୁ ଯେତେ ନାପସନ୍ଦ କରାଯାଉଥିଲେ ମଧ୍ୟ କିମ୍‌ଙ୍କୁ ଭେଟି ସେ ଶାନ୍ତିର ଯେଉଁ ବୀଜବପନ କଲେ, ତାହା ଅନ୍ୟ ବିବାଦଗ୍ରସ୍ତ ରାଷ୍ଟ୍ର ପ୍ରତି ନୂଆ ସନ୍ଦେଶ ଦେବ ବୋଲି କୁହାଯାଇପାରିବ। ପ୍ରତ୍ୟେକେ ସାମାନ୍ୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରିଲେ ବୃହତ୍‌ ଓ ସାମୂହିକ ମଙ୍ଗଳ ପାଇଁ ପଥ ଉନ୍ମୁକ୍ତ ହୋଇଯିବା ସ୍ବାଭାବିକ।
ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୈତିକ ଯାତ୍ରା ଉପରେ ଦୃଷ୍ଟି ଦିଆଯାଇପାରେ। ନୂଆଦିଲ୍ଲୀ ଏବେ ବି ୧୯୫୦ ଦଶକର କୂଟନୀତି ଆପଣାଇ ଅନ୍ୟ ଉପରେ ବିଜୟ ଲାଭ କରିବାକୁ ପ୍ରୟାସ ଚଳାଇଲା ଭଳି ମନେହେଉଛି। କିନ୍ତୁ ବାସ୍ତବତା ହେଉଛି, ଭାରତର ଅର୍ଥନୈତିକ ପରିସ୍ଥିତିକୁ ଦେଖିଲେ ତାହା ଯୁଦ୍ଧ ସକାଶେ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ। ଆଧୁନିକ ଯୁଗରେ ଯୁଦ୍ଧ କେବେହେଲେ ସ୍ବଳ୍ପ ସମୟରେ ମୀମାଂସିତ ହେବ ନାହିଁ। ଭାରତର ସବୁଠାରୁ ବଡ଼ କୂଟନୈତିକ ବିଫଳତା ତା’ର ପଡ଼ୋଶୀ ଦେଶମାନଙ୍କ ସହିତ ଅପଡ଼ ହେବାରେ ପରିଲକ୍ଷିତ ହେଉଛି। ଏବେ ମଧ୍ୟ ନୂଆଦିଲ୍ଲୀର କୂଟନୀତି-ଆମ ସହ ବନ୍ଧୁତ୍ୱ ସ୍ଥାପନ କର, ନ ହେଲେ ତୁମେ ଶତ୍ରୁ-ରେ ଅଟକିଯାଇଛି। ଫଳରେ ଭାରତ କଳା ଧଳା ସ୍ତରରେ ରହିଯାଉଛି। ପଡ଼ୋଶୀ ଦେଶ ସହ ଉତ୍ତମ ସମ୍ପର୍କ ରହିପାରୁ ନ ଥିବାରୁ ସବୁ ସୀମାରୁ ବିପଦ ଲାଗି ରହିଛି। ସୀମାନ୍ତରେ ପ୍ରତିଦିନ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟୁଥିବା ବେଳେ ଜମ୍ମୁ ଓ କଶ୍ମୀରଠାରୁ ଅରୁଣାଚଳ ପ୍ରଦେଶ ଯାଏ ଥିବା ଭାରତୀୟ ଭୂଖଣ୍ଡର କିଛି କିଛି ଅଞ୍ଚଳକୁ ଚାଇନା ପ୍ରାୟ ମାଡ଼ି ଚାଲିଛି। ସେଥିପାଇଁ ଆମ ଦେଶର କୂଟନୀତିକୁ ପୁନର୍ବିଚାର କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri