ସମ୍ପାଦକୀୟ/ ଭିତରକୁ ଦେଖ

ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣକରିବା ପରେ ଏବେ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ୨୫ ମେ’ରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହିଁ। ବରଂ ସେ ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି। ‘ପୁତ୍ର ଉଦୟ’ ମୋହରେ ପଡ଼ି କେତେକ ନେତା ପାର୍ଟିର ସ୍ବାର୍ଥକୁ ନୂ୍ୟନ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅବଶ୍ୟ ପରିବାରବାଦ ରାଜନୀତିର ରାହୁଲ ନିଜେ ଜଣେ ପ୍ରଥମ ହିତାଧିକାରୀ ଭାବେ ଜଣାଶୁଣା। ଅନ୍ୟପଟେ ଯେଉଁମାନଙ୍କୁ ରାହୁଲ ଦୋଷ ଦେବାକୁ ଉଚିତ ମନେକରିଛନ୍ତି, ସେମାନେ ସମସ୍ତେ ବ୍ୟକ୍ତିଗତ ଭାବେ ତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଅବଶ୍ୟ ଶୁଣିବାକୁ ମିଳୁଛି ଯେ ତାଙ୍କ ମାତା ସୋନିଆ ଗାନ୍ଧୀ ଓ ଅନ୍ୟ କେତେ ଜଣ ବୟସ୍କ ନେତାଙ୍କ ଚାପରେ ଏହି ମୁଖ୍ୟମନ୍ତ୍ରୀମାନେ ପଦବୀ ପାଇଥିଲେ।
ଆଜିର ଭୋଟ ଢାଞ୍ଚାକୁ ଦେଖିଲେ ଗାନ୍ଧୀ-ନେହେରୁ ପରିବାର ନାମରେ କଂଗ୍ରେସ ଭୋଟ ରହିଆସିଛି ବୋଲି ଦୀର୍ଘଦିନରୁ ଯେଉଁ ଧାରଣା ଗଡ଼ି ଆସିଥିଲା ତାହା ଲୋପପାଇବାକୁ ବସିଲାଣି। ରାହୁଲ ଓ ତାଙ୍କ ନେତାମାନେ ଏହା ବୁଝିବାରେ ଅକ୍ଷମ ହେବାରୁ ଏଭଳି ଦଳୀୟ ବିପର୍ଯ୍ୟୟ ଦେଖାଗଲା ବୋଲି ବିଶ୍ଳେଷକମାନେ ମତ ଦେଲେଣି। ବରିଷ୍ଠ ନେତା ପି. ଚିଦାମ୍ବରମ୍‌, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସେମାନଙ୍କ ପୁଅମାନଙ୍କ ରାଜନୈତିକ କ୍ୟାରିୟର ପାଇଁ ବ୍ୟସ୍ତ ରହିବାରୁ ପାର୍ଟି ଖରାପ ପ୍ରଦର୍ଶନ କଲା ବୋଲି ଯେଉଁ ଦୋଷ ଦିଆଯାଉଛି, ତା’ ଛଡ଼ା ଅନେକ କାରଣ ଏଥିପାଇଁ ଦାୟୀ। ୬ ମାସ ତଳେ ଯେତେବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ବିଶେଷକରି ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା ହୋଇଥିଲା। ରାଜସ୍ଥାନରେ ସଚିନ ପାଇଲଟ ଓ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ବେଳେ ଦଳ ଯଥାକ୍ରମେ ଅଶୋକ ଗେହଲଟ ଓ କମଲନାଥଙ୍କ ଉପରେ ବିଶ୍ୱାସ ରଖିଥିଲା। ଦଳର ଏଭଳି ନିଷ୍ପତ୍ତିରେ ପାର୍ଟି କର୍ମୀ ବିମୁଖ ହେବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ।
ନିର୍ବାଚନରେ ବିଫଳତା ଲାଗି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ ଏବଂ କର୍ନାଟକ କଂଗ୍ରେସ ମୁଖ୍ୟମାନେ ଇସ୍ତଫା ଦେଇଦେଲେଣି। ତେବେ ପାର୍ଟିର ଅଧ୍ୟକ୍ଷ ଭାବେ ରାହୁଲଙ୍କ ଇସ୍ତଫା ଓ ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ବସାଇବା ଲାଗି ସେ ଯେଭଳି ନିଷ୍ପତ୍ତି ନେଇଛନ୍ତି, ତାହା କଂଗ୍ରେସକୁ ପୁନର୍ଜନ୍ମ ଦେଇପାରେ। ଶେଷ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ସାଙ୍ଗଠନିକ ନେତୃତ୍ୱ ତାହାକୁ ବିଜୟ ମୁକୁଟ ପିନ୍ଧାଇଛି। ଏଥିସହିତ ଦେଶର ବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶରେ ଜାତି, ସଂଖ୍ୟାଲଘୁ ତୁଷ୍ଟୀକରଣ ନେଇ ଯେଉଁ ରାଜନୀତି ଖେଳାଯାଇ ଆସୁଥିଲା ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜପାର୍ଟି (ବିଏସ୍‌ପି)ର ଯୋଜନାକୁ ପଣ୍ଡ କରି ଭାଜପା ଭୋଟ ଧ୍ରୁବୀକରଣ କରିବାରେ ସଫଳ ହେଲା। ଏଠାରେ କେବଳ ସାଙ୍ଗଠନିକ କାର୍ଯ୍ୟ ମାଧ୍ୟମରେ ହାର୍‌ଜିତ୍‌ ହୋଇଛି ବୋଲି କହିହେବ ନାହିଁ। ମୋଦିଙ୍କ ସ୍ପଷ୍ଟ ମତ ଏବଂ ଶକ୍ତିଶାଳୀ ଜାତୀୟତାବାଦ ସହିତ ଆହୁରି ଅନେକ କାରଣ ଯୋଗୁ ଭାଜପାକୁ ବିପୁଳ ସଫଳତା ଦେଖିବାକୁ ମିଳିଛି। ମନେହେଲା ଯେପରି ଭାଜପାକୁ ବିରୋଧ କରୁଥିବା ଦଳଗୁଡ଼ିକ କେବଳ ମୋଦିଙ୍କୁ ଆକ୍ରମଣ କରିବାରେ ସୀମିତ ରହିଗଲେ। ‘ନ୍ୟାୟ’ ଭଳି ଅଯଥା ଯୋଜନା ସମ୍ପର୍କରେ ଆଲୋଚନା କରିବା ବ୍ୟତୀତ କଂଗ୍ରେସ ମଧ୍ୟ ସଫଳତାର ସହିତ ବେକାର ଓ ଚାଷ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଭଲ ଭାବେ ଉପସ୍ଥାପନ କରିପାରିଲା ନାହିଁ। ସମ୍ଭବତଃ ଭାରତର ସାଧାରଣ ଭୋଟର ଏବେ ଦୁଇଥର ସରକାର ଗଢ଼ିବାର ସୁଯୋଗ ଦେବାକୁ ଚାହିଁଛନ୍ତି। ତେବେ ୨୦୨୪ ମସିହାରେ ମୋଦିଙ୍କ ଭାବମୂର୍ତ୍ତିକୁ ପ୍ରତିହତ କଲା ଭଳି କାର୍ଯ୍ୟ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ଏବେଠାରୁ ନେବାକୁ ପଡ଼ିବ।
ଭାଜପା ଭିତରେ ମୋଦି ଜଣେ ଏକଚ୍ଛତ୍ରବାଦୀ ନେତା ହୋଇପାରିଛନ୍ତି। କିନ୍ତୁ ସେହି ଦଳରେ ଅନେକ ନିୟମକାନୁନ ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ସନ୍ତୁଷ୍ଟ ରଖାଯାଇପାରୁଛି। ଯଥା ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୁନଶ୍ଚ ଟିକେଟ ଦିଆଯାଇ ନାହିଁ। ଦଳର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ସ୍ଥାନରେ ଗୁରୁତ୍ୱ ଦିଆଯାଇଥାଏ। ହିନ୍ଦୁତ୍ୱ ଆଦର୍ଶ ସେମାନଙ୍କ ରାଜନୈତିକ ଖେଳକୁ ଏକତ୍ରିତ କରି ରଖିଛି। ଅନ୍ୟପଟେ କଂଗ୍ରେସର କୌଣସି ଚିନ୍ତାଧାରାରେ ବାନ୍ଧି ହୋଇ ରହିବାର ଲକ୍ଷଣ ଦେଖାଯାଉ ନାହିଁ। କେବଳ ଗାନ୍ଧୀ ପରିବାର ପାଇଁ ଆନୁଗତ୍ୟ ସେହି ଦଳରେ ନେତା ସୃଷ୍ଟି କରିଥାଏ। କଂଗ୍ରେସ ଭଳି ଅନ୍ୟ ସବୁ ଅଣ-ଭାଜପା ଦଳଗୁଡ଼ିକ ମଧ୍ୟ ନିଜର ଅସ୍ତିତ୍ୱ ହରାଇବାକୁ ବସିଲେଣି। ଆଞ୍ଚଳିକ ଦଳଗୁଡ଼ିକରେ କଂଗ୍ରେସ ଭଳି ଆଭିମୁଖ୍ୟ ଥିବାରୁ ତାମିଲନାଡୁର ଡିଏମ୍‌କେ ବ୍ୟତୀତ ଅନ୍ୟ ସମସ୍ତଙ୍କ କ୍ଷତି ଘଟିଛି। ଏଭଳି ପ୍ରଚ୍ଛଦପଟରେ ଏବେ ସବୁ ରାଜନୈତିକ ଦଳକୁ ଆଭ୍ୟନ୍ତରୀଣ ପରିବେଶ ପ୍ରତି ସଜାଗ ରହିବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri