ସମ୍ପାଦକୀୟ/ ନୂଆ ଯୁଗର ଡ୍ରୋନ୍‌

ବିଶ୍ୱର ସର୍ବବୃହତ୍‌ ତୈଳ ଉତ୍ପାଦକ ସୌଦି ଆରବର କମ୍ପାନୀ ‘ସୌଦି ଆରାମ୍‌କୋ’ର ଦୁଇଟି ତୈଳ କୂପ ଉପରେ ୟେମେନୀ ବିଦ୍ରୋହୀ ଗୋଷ୍ଠୀ ୧୪ ସେପ୍ଟେମ୍ବରରେ ଡ୍ରୋନ୍‌ ଆକ୍ରମଣ କରିଥିଲା। ଫଳରେ ସେଠାରେ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଆରାମ୍‌କୋ ଦୈନିକ ପ୍ରାୟ ୧୦୦ ମିଲିୟନ୍‌ ବ୍ୟାରେଲ୍‌ ତେଲ ଉତ୍ପାଦନ କରୁଥିବା ବେଳେ ଏହି ଆକ୍ରମଣ ଯୋଗୁ ଏହା ଅଧାକୁ ଖସିଆସିଛି। ଏହି ଘଟଣା ପରେ ବିଶ୍ୱ ତୈଳ ବଜାରରେ ଯୋଗାଣ ହ୍ରାସ ପାଇବାର ସବୁ ଆଶଙ୍କା ଦେଖାଦେଇଛି। ଫଳସ୍ବରୂପ ୧୬ ସେପ୍ଟେମ୍ବରରେ ଅଶୋଧିତ ତେଲ ଦରରେ ନିଆଁ ଲାଗିଛି। ଗୋଟିଏ ଦିନରେ ଏହା ୨୮ ବର୍ଷର ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୭୧.୯୫ ଡଲାରରେ ପହଞ୍ଚିଛି। ତେଣୁ ଆଗାମୀ ଦିନରେ ତେଲ ଦର ଆହୁରି ବଢ଼ିପାରେ। କାରଣ ତୈଳ ଉତ୍ପାଦକ ଦେଶସମୂହ ଓପେକ୍‌ ପୂର୍ବରୁ ଦୈନିକ ୧.୧ ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ କମାଇବ ବୋଲି ନିଷ୍ପତ୍ତି ନେଇସାରିଛି। ଏଥିସହ ଆରାମ୍‌କୋ ଉପରେ ଆକ୍ରମଣଜନିତ ଉତ୍ପାଦନ ହ୍ରାସ ପରିସ୍ଥିତିକୁ ଆହୁରି ସଙ୍ଗିନ କରିବ। ଚାହିଦା ତୁଳନାରେ ଅଭାବ ଯୋଗୁ ଦରବୃଦ୍ଧି ପାଇବା ସ୍ବାଭାବିକ।
ଆରାମ୍‌କୋ ଉପରେ ଡ୍ରୋନ୍‌ ଆକ୍ରମଣ ନେଇ ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ଦରବୃଦ୍ଧିର ଆଉ ଏକ କାରଣ ହୋଇପାରେ। ଡ୍ରୋନ୍‌ ଆକ୍ରମଣ ପଛରେ ଇରାନ୍‌ର ହାତ ଥିବା ଆମେରିକା ଅଭିଯୋଗ କରୁଛି। ଏଥିରେ ସାମିଲ ଥିବା ହୁତି ବିଦ୍ରୋହୀଙ୍କୁ ଇରାନ୍‌ ସାମରିକ ସହାୟତା ଯୋଗାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି। ଏଣୁ ଇରାନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାର ଚାଲିଥିବା ଟ୍ରମ୍ପ୍‌ କହିବା ପରେ ଇରାନ୍‌ ମଧ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ଥିବା କହିଛି। ଏହିସବୁ ସମୀକରଣକୁ ଦେଖିଲେ ମନେହେଉଛି ଯେପରି ସମଗ୍ର ବିଶ୍ୱ ପ୍ରଭାବିତ ହେବା ନିଶ୍ଚିତ। ଭାରତ ସକାଶେ ଏହା ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହେବ। ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତର ଅର୍ଥନୀତି ଆହୁରି ବିଗିଡ଼ିଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହାକୁ ନେଇ ଚେତାବନୀ ଦେଇ ସାରିଲେଣି। ତାଙ୍କ ମତରେ ଅଶୋଧିତ ତେଲ ଦର ବଢ଼ିଲେ ଦେଶର ଚାଲୁ ଖାତା ନିଅଣ୍ଟ (ସିଏଡି) ଏବଂ ବିତ୍ତୀୟ ନିଅଣ୍ଟ (ଫିସ୍‌କାଲ ଡେଫିସିଟି) ଯଥେଷ୍ଟ ବଢ଼ିଯିବ। ଫଳରେ ଦେଶ ଅଧିକ ଡଲାର ଖର୍ଚ୍ଚ କରିବାକୁ ବାଧ୍ୟ ହେବ ଏବଂ ମୁଦ୍ରା ଉପରେ ଏହାର ଘୋର ପ୍ରଭାବ ପଡ଼ିବ। ଏହା ଜଣାଶୁଣା ଯେ, ତେଲ ଦର ବଢ଼ିଲେ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ। ଏହା ମୁଦ୍ରାସ୍ଫୀତିକୁ ବଢ଼ାଇବା ସହ ଆର୍‌ବିଆଇର ରେପୋ ରେଟ୍‌ ହ୍ରାସ ସମ୍ଭାବନାକୁ ରୋକିବ। ଏହା ଦ୍ୱାରା ସୁଧହାର ବୃଦ୍ଧି ପାଇଲେ ବିନିର୍ମାଣ ଓ ଅଟୋମୋବାଇଲ କ୍ଷେତ୍ର ଋଣ ନେବାରୁ ଦୂରେଇ ଯିବେ। ଧିମେଇ ପଡ଼ିଥିବା ଏହି କ୍ଷେତ୍ର ଆହୁରି ମନ୍ଥର ହୋଇଯିବ। ଏହାର ପ୍ରଭାବ ଦେଶର ଜିଡିପି ଉପରେ ମଧ୍ୟ ପଡ଼ିପାରେ। ଏଭଳି ସ୍ଥଳେ ସରକାରଙ୍କୁ ତେଲ ଉପରୁ ଟିକସ ହ୍ରାସ କରିବାକୁ ପଡ଼ିପାରେ।
ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୌଦି ଆରବର ତୈଳ କୂପ ଉପରେ ହୋଇଥିବା ଆକ୍ରମଣ ଯୋଗୁ ଭାରତର ତୈଳ ଯୋଗାଣ ଉପରେ ସେଭଳି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ସମୀକ୍ଷକଙ୍କ ମତରେ ତୈଳ ଦର ୫ରୁ ୬ ଟଙ୍କା ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ। ଯେତେବେଳେ ଆର୍‌ବିଆଇ ଗଭର୍ନର ଆଶଙ୍କା କଲେଣି ଯେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ିଲେ ଏହା ଦେଶର ଆର୍ଥିକ କ୍ଷେତ୍ରରେ ପ୍ରଭାବ ପକାଇବ, ସେତେବେଳେ ଦେଶବାସୀ ସଜାଗ ହେବା ଉଚିତ। ଜନସାଧାରଣ ପୂର୍ବାପେକ୍ଷା ଅଧିକ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନକୁ ବ୍ୟବହାର କରିବା ଦରକାର ହୋଇପଡ଼ିଲାଣି। ଜୀବାଶ୍ମ ଇନ୍ଧନ ଯେହେତୁ ସୀମିତ ରହିଛି, ସେଥିପ୍ରତି ଦୃଷ୍ଟି ଦିଆଗଲେ ଭାରତ ବିଦେଶରୁ କରୁଥିବା ଆମଦାନୀକୁ ଅନେକାଂଶରେ କମାଇ ଦିଆଯାଇପାରନ୍ତା। ଯେତେବେଳେ ଏକ ଦେଶର ଅର୍ଥନୀତି ଧିମେଇ ଯାଉଛି ସେହି ସମୟରେ ସରକାରୀ ସ୍ତରରୁ ସାଧାରଣ ନାଗରିକ ଯାଏ ସମସ୍ତେ ଆର୍ଥିକ ଦୁଃସ୍ଥିତିକୁ ବୁଝିବା ଦରକାର।
କୁମ୍ଭୀର ପିଲାଟିକୁ ନେଇ ମଝି ନଈରେ ଥିବାବେଳେ ଯଦି ମା’ ଭାବେ ଯେ ତା’ ଛୁଆ ପହଁରିବାରେ ଦକ୍ଷ ହୋଇଗଲାଣି, ତାହା ନିଶ୍ଚିତ ଭାବେ ମା’ର ଅଦୂରଦର୍ଶିତା ବୋଲି କୁହାଯାଇପାରେ। ଭାରତୀୟ ଅର୍ଥନୀତି ଏବେ ଯେଉଁ ସ୍ତରରେ ପହଞ୍ଚିଛି ଏବଂ ପ୍ରତ୍ୟେକ ଦିନ ପ୍ରତି କ୍ଷେତ୍ର ଯେଭଳି କ୍ଷତି ସହି ଚାଲିଛନ୍ତି ସେଥିରୁ ବୁଝିବାକୁ ହେବ ଯେ ଭବିଷ୍ୟତ ଅର୍ଥନୀତି ବିଗିଡ଼ିବାକୁ ଯାଉଛି। ଏଭଳି ସ୍ଥଳେ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବ୍ୟକ୍ତି ବାସ୍ତବ ସ୍ଥିତିକୁ ଲୁଚାଇବା ଠିକ୍‌ ନୁହେଁ। ବରଂ ସମାଧାନର ପ୍ରକୃତ କାରଣ ଖୋଜାଯିବା ଦରକାର। ସାଧାରଣ ଲୋକେ ଜାଣିଛନ୍ତି ଯେ, ତେଲ ଦର ବଢ଼ିଲେ ଏହାର ବୋଝ ଦେଶବାସୀଙ୍କ ଉପରେ ପଡ଼ିବ। ତେଣୁ ନେତୃତ୍ୱ ନେଉଥିବା ବ୍ୟକ୍ତି ପରିସ୍ଥିତିର ଗମ୍ଭୀରତାକୁ ବୁଝି ତୁରନ୍ତ ପଦକ୍ଷେପ ନ ନେଲେ ‘ନେଡ଼ି ଗୁଡ଼ କହୁଣି’କୁ ବୋହିଯାଇଥିବ।
ଶେଷରେ ଅନ୍ୟ ଏକ ଦିଗକୁ ଦୃଷ୍ଟି ପକାଯାଇପାରେ। ୟେମେନୀ ଡ୍ରୋନ୍‌ ଆକ୍ରମଣରେ ଆରାମ୍‌କୋର ତୈଳ କୂପରେ ନିଆଁ ଲାଗିଯିବା ଫଳରେ ଆଜି ଏହା ପ୍ରମାଣିତ କରୁଛି ଯେ, ଡ୍ରୋନ୍‌ ମାଧ୍ୟମରେ ବଡ଼ଧରଣର ଯୁଦ୍ଧ ଘଟାଇବା ସମ୍ଭବପର ହୋଇଗଲାଣି। ମଣିଷର ଉପସ୍ଥିତି ବିନା ଏହି ସ୍ବୟଂଚାଳିତ ଉଡ଼ାଜାହାଜ ଅନ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ ଉପରେ ଆକ୍ରମଣ କରି ଧ୍ୱଂସ କରିପାରୁଛି। ଏଥିରୁ ବୁଝିବାକୁ ହେବ ଯେ, ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ଯେଉଁଭଳି ଆକ୍ରମଣ କରିବାକୁ ଯାଇ ପାକିସ୍ତାନରେ ଗଳିପଡ଼ିଥିଲେ ତାହା ଏବେ ଅତୀତ ହୋଇଗଲାଣି। ୟେମେନ୍‌ ଭଳି ଛୋଟ ଅନୁନ୍ନତ ଦେଶର ଏକ ବିଦ୍ରୋହୀ ଗୋଷ୍ଠୀ ଯେପରି ଡ୍ରୋନ୍‌ ଆକ୍ରମଣ କରିପାରିଛି, ତାହା ପ୍ରମାଣ କରୁଛି ଯେ, ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଅନେକ କାର୍ଯ୍ୟ ବାକି ରହିଛି। ସେହି ପୁରୁଣା ଢଙ୍ଗରେ ସଫଳତା ହାସଲ କରିବା ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri