ସମ୍ପାଦକୀୟ/ କାହା ପାଇଁ ସଂଯୋଗ

ସୋସିଆଲ ମିଡିଆରେ ବ୍ୟବହୃତ ପ୍ରୋଫାଇଲ ସହ ଆଧାର କାର୍ଡ ସଂଯୋଗ କରିବା ନେଇ ମାଡ୍ରାସ୍‌, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରାଧୀନ ରହିଥିବା ମାମଲା ଉପରେ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ୨୦ ଅଗଷ୍ଟରେ ରାଜି ହୋଇଛନ୍ତି। ଏଥିସହିତ କେନ୍ଦ୍ର ସମେତ ଗୁଗଲ, ୟୁଟ୍ୟୁବ୍‌, ଟୁଇଟର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ୧୩ ସେପ୍ଟେମ୍ବର ସୁଦ୍ଧା ଏ ନେଇ ମତ ରଖିବାକୁ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ମିଥ୍ୟା, ମାନହାନିମୂଳକ, ଦେଶ ବିରୋଧୀ ଏବଂ ଆତଙ୍କବାଦ ସଂକ୍ରାନ୍ତ ତଥ୍ୟ ପ୍ରସାର କରିବାରେ ସୋସିଆଲ ମିଡିଆ ସହାୟକ ହେଉଥିବାରୁ ସେଥିରେ ନିୟନ୍ତ୍ରଣ ଆଣିବା ଲାଗି ଆଧାର କାର୍ଡ ଲିଙ୍କ୍‌ କରିବା ଉପରେ ତାମିଲନାଡୁ ସରକାର ୧୯ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ଏହାକୁ ଫେସ୍‌ବୁକ୍‌ ଇନ୍‌କର୍ପୋରେଟେଡ୍‌ (ଇଙ୍କ୍‌) ବିରୋଧ କରିଚାଲିଛି। ତେଣୁ ବିଭିନ୍ନ ହାଇକୋର୍ଟରେ ଥିବା ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇ ବିଚାର କରିବା ଲାଗି ଫେସ୍‌ବୁକ୍‌ ଇଙ୍କ୍‌ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ଯୁକ୍ତି ଉପରେ ମତ ଦେଇ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ମାଡ୍ରାସ୍‌ ହାଇକୋର୍ଟରେ ଥିବା ମାମଲା ଉପରେ ଶୁଣାଣି ଚାଲିବ, ମାତ୍ର ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେଇପାରିବେ ନାହିଁ। ଏପଟେ ଫେସ୍‌ବୁକ୍‌ ଇଙ୍କ୍‌ର ଯୁକ୍ତି ହେଉଛି ଯେ, ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଓ ବାୟୋମେଟ୍ରିକ୍‌ ଏକକ ପରିଚୟ ଯଦି ସୋସିଆଲ ମିଡିଆରେ ଥିବା ନାଗରିକଙ୍କ ପ୍ରୋଫାଇଲ୍‌ ସହ ସଂଯୋଗ କରାଯାଏ, ତେବେ ତାହା ଲୋକଙ୍କ ଅନ୍ତରଙ୍ଗ ତଥା ଗୋପନୀୟତାକୁ କ୍ଷୁଣ୍ଣ କରିବ। ବ୍ୟକ୍ତିଙ୍କ ତଥ୍ୟ ତୃତୀୟ ପକ୍ଷକୁ ପ୍ରଦାନ କରାଯାଇପାରିବ ନାହିଁ ବୋଲି କମ୍ପାନୀର ଗୋପନୀୟତା ନିୟମରେ ଉଲ୍ଲେଖ ରହିଥିବା ଫେସ୍‌ବୁକ୍‌ କହିଛି। ଫେସ୍‌ବୁକ୍‌ ପକ୍ଷରୁ କରାଯାଉଥିବା ଯୁକ୍ତି ସ୍ବାଗତଯୋଗ୍ୟ।
ସରକାର ନିଜ ଜିଦ୍‌ରେ ଅଟଳ ରହିବା ପାଇଁ ଆଧାରକୁ ସବୁ କ୍ଷେତ୍ରରେ ବ୍ୟବହାର କରିବାକୁ ଚାହୁଁଥିବାରୁ ଏବେ ନାଗରିକଙ୍କ ଜୀବନ ବିପଦରେ ପଡ଼ିଲାଣି। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଅନ୍ତରଙ୍ଗ ତଥ୍ୟ ବଜାରରେ ସହଜରେ ଉପଲବ୍‌ଧ ହୋଇଯାଉଛି। ଉଦାହରଣ ସ୍ବରୂପ, ଜଣେ ବ୍ୟକ୍ତି ଜାଣତରେ ନିଜର ମୋବାଇଲ ନମ୍ବର କୌଣସି କମ୍ପାନୀକୁ ଦେଇ ନ ଥିଲେ ମଧ୍ୟ ତାଙ୍କ ପାଖକୁ ସାମଗ୍ରୀ ବା ସେବା ପାଇବା ପାଇଁ ଏକାଧିକ ଫୋନ୍‌ କଲ୍‌ ଆସୁଛି। ଏଥିରୁ ବୁଝିବାକୁ ହେବ ଯେ, ଅସଂଖ୍ୟ ଆଧାର ନମ୍ବରକୁ ନିଆଯାଇ ପ୍ରସ୍ତୁତ ଡାଟାବେସ୍‌ ବା ତଥ୍ୟାବଳିକୁ ଦାୟିତ୍ୱରେ ଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ସହଜରେ ବିକ୍ରି କରିଦେଉଛନ୍ତି। ଏଭଳି ସ୍ଥଳେ ଯଦି ସୋସିଆଲ ମିଡିଆରେ ଥିବା ପ୍ରୋଫାଇଲ ଆଧାର ସହ ଲିଙ୍କ୍‌ ହୋଇଯିବ, ତାହା ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ସବୁ ପ୍ରକାର ତଥ୍ୟ ବଜାରରେ ହାଉଜାଉ ହେବ। ଏହି ପରିସ୍ଥିତିକୁ ଅନ୍ୟ ଏକ ଚିତ୍ର ଦେଇ କୁହାଯାଇପାରିବ ଯେ, ଏବେକାର ସରକାର ପ୍ରତ୍ୟେକ ନାଗରିକକୁ ଉଲଗ୍ନ କରି ମଝି ରାସ୍ତାରେ ଛିଡ଼ା କରିବାକୁ ଯୋରସୋର ପ୍ରୟାସ କରୁଛି। ଏହାଦ୍ୱାରା ନାଗରିକର ପ୍ରତିଟି ଗତିବିଧି, ତା’ର ମାନସିକ ଚିନ୍ତା ସହିତ ଭବିଷ୍ୟତ ପାଇଁ ରଖୁଥିବା ଯୋଜନା ପ୍ରଶାସନର ଦୃଷ୍ଟିକୁ ଆସିବ। କେହି ସ୍ବୀକାର କରୁନ୍ତୁ ବା ନ କରନ୍ତୁ, ଆଧାରକୁ ଯେତେ ଅଧିକ ସଂଯୋଗ କରାଯିବ ସେତିକି ଅଧିକ ବ୍ୟକ୍ତିବିଶେଷର ଅନ୍ତରଙ୍ଗ ତଥ୍ୟ ମିଳିପାରିବ। ସାଧାରଣରେ ଦେଖାଯାଏ, ଆଧାର ନମ୍ବର ମାଗୁଥିବା ସଂସ୍ଥାକୁ ସମ୍ପୂର୍ଣ୍ଣ ଆଧାର କାର୍ଡର ଅବିକଳ ନକଲ ଅଶିକ୍ଷିତ ଜନସାଧାରଣଙ୍କ ଦ୍ୱାରା ଦେଇ ଦିଆଯାଉଛି। ସେଭଳି ଅଶିକ୍ଷିତ ବା ଅସଚେତନ ନାଗରିକଙ୍କୁ ନିୟନ୍ତ୍ରଣାଧୀନ ରଖିବା ଅତ୍ୟନ୍ତ ସହଜ ହୋଇଥାଏ। ଯେତିକି ଅଧିକ କଟକଣା ବୃଦ୍ଧି କରାଯାଇପାରିଛି, ସେହି ପରିମାଣରେ ଗଣତନ୍ତ୍ରର ମୃତ୍ୟୁ ଘଟିବ।
କିଛି ମାସ ପୂର୍ବରୁ ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କରିବା ଲାଗି ନିର୍ବାଚନ କମିଶନ ଏକ ପ୍ରସ୍ତାବ ଆଣିଥିଲେ। ଏପରି କି ଆଇନ କମିଶନଙ୍କ ନିକଟକୁ ଫାଇଲ ପଠାଯାଇଥିଲା। ଏହାକୁ ନେଇ କେତେକ ଚିନ୍ତାଶୀଳ ବ୍ୟକ୍ତି ବିରୋଧ କରିବା ପରେ ତାହା ବସ୍ତୁତଃ କାର୍ଯ୍ୟକାରୀ ହୋଇପାରି ନାହିଁ। ଦେଖିବାକୁ ଗଲେ ଭୋଟର ପରିଚୟପତ୍ର ହେଉଛି ନାଗରିକତ୍ୱର ପ୍ରମାଣପତ୍ର। ଅନ୍ୟପକ୍ଷରେ ଆଧାର କାର୍ଡ ସ୍ବେଚ୍ଛାକୃତ ଦଲିଲ, ଯାହା ଜଣଙ୍କୁ ପରିଚୟ ଦେବାରେ ସହାୟକ ହୋଇଥାଏ। ଆଧାର କାର୍ଡକୁ ନେଇ ଜଣେ ଜାତୀୟତାର ପ୍ରମାଣ ଦେଇପାରିବେ ନାହିଁ ବୋଲି କୁହାଯାଉଛି। ଭବିଷ୍ୟତରେ ଏହା କେଉଁ ରୂପ ଧାରଣ କରିବ ଏବେ କହିବା କଷ୍ଟକର। ସେହି ଦୃଷ୍ଟିରୁ ଦେଖିଲେ ଆଧାର କାର୍ଡକୁ ନାଗରିକ ଜୀବନର ପ୍ରତି ପଦକ୍ଷେପ ସହ ଯୋଡ଼ି ଦିଆଗଲେ, ତାହା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ। ଆଧାରର ସ୍ବରୂପ ଦେଖିଲେ ଏହା ଏକ ନିରନ୍ତର ପ୍ରକ୍ରିୟା। କରଦାତାଙ୍କ ଅନେକ ହଜାର କୋଟି ଟଙ୍କା ବ୍ୟୟରେ କରାଯାଉଥିବା ଏହି କାର୍ଯ୍ୟକ୍ରମର ଅନ୍ତ ନାହିଁ। କାରଣ ପ୍ରତି ମୁହୂର୍ତ୍ତରେ ଶିଶୁ ଜନ୍ମ ନେଉଥିବାରୁ ତାହାର ଆଧାର କାର୍ଡ ସୃଷ୍ଟି କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନ ଉଠିବା ସ୍ବାଭାବିକ, ଭୋଟର ପରିଚୟପତ୍ର ଜଣେ ନାଗରିକର ପ୍ରମାଣପତ୍ର ଭାବେ ରହିଥିବା ବେଳେ ଆଧାର ଭଳି କାର୍ଡର ଆବଶ୍ୟକତା କ’ଣ ରହିଛି। ସେହି ଖିଅକୁ ଧରି କୁହାଯାଇପାରେ ଯେ ଏବେ ଉଠୁଥିବା ପ୍ରଶ୍ନ, ଯେଉଁଥିରେ ସୋସିଆଲ ମିଡିଆରେ ଥିବା ପ୍ରୋଫାଇଲ ସହ ଆଧାର ସଂଯୋଗ ପ୍ରକୃତରେ କାହାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri