ସମ୍ପାଦକୀୟ/ କମୁଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ୧୪ ଅକ୍ଟୋବର ୨୦୧୯ରେ ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଇଛି। ପଞ୍ଜାବ ଓ ହରିୟାଣାରେ ଖେତରେ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ସମଗ୍ର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଫଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୩୫ ମାର୍କରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତମ ବାୟୁ ଗୁଣବତ୍ତା ସ୍ତର ଶୂନରୁ ୫୦ ରହିଥିବା ବେଳେ ମଧ୍ୟମ ଧରଣର ହେଲେ ତାହା ୫୧ରୁ ୧୦୦ ସ୍ଥିର କରାଯାଇଛି। ଏହାକୁ ମାନକ ଭାବେ ନେଇ ତର୍ଜମା କରାଗଲେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସ୍ତର ୨୩୫ ଛୁଇଁବା ନିଶ୍ଚିତ ଭାବେ ସେଠାକାର ଅଧିବାସୀଙ୍କ ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ୫ ଦିନ ହେବ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀ ବିଷାକ୍ତ ବାୟୁ ଗ୍ରହଣ କରିଚାଲିଛନ୍ତି। ଦୁଇମାସ ତଳକୁ ଫେରିଗଲେ ତାମିଲନାଡୁ ରାଜଧାନୀ ଚେନ୍ନାଇର କେତେକ ଅଞ୍ଚଳରେ ପାଣିର ଉତ୍କଟ ଅଭାବ ଦେଖାଦେବା ପରେ ଲୋକେ ସମ୍ପୃକ୍ତ ଇଲାକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ଖବର ମିଳିଥିଲା। ଏପଟେ ଅଗଷ୍ଟ ଓ ସେପ୍ଟେମ୍ବରରେ ହୋଇଥିବା ବର୍ଷା ପୂର୍ବ ରେକର୍ଡ ଭାଙ୍ଗି ଦେଇଛି। ସେହିଭଳି ଗୋଟିଏ ପଟେ ମୌସୁମୀ ଠିକ୍‌ ସମୟରେ ଆସୁ ନ ଥିବା ବେଳେ ଫେରନ୍ତା ମୌସୁମୀ ଯିବାରେ ଅତ୍ୟନ୍ତ ବିଳମ୍ବ ଘଟୁଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସୃଷ୍ଟି ହେଉଥିବା ବେଳେ ଦିଲ୍ଲୀ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏବେ ବାୟୁ ଗୁଣବତ୍ତା କମିଯିବା ଲାଗି ମନୁଷ୍ୟକୃତ ବିପର୍ଯ୍ୟୟ ଦାୟୀ ବୋଲି କୁହାଯାଇପାରିବ। ପଞ୍ଜାବ ଓ ହରିୟାଣାର ଖେତଗୁଡ଼ିକରୁ ଫସଲ ଅମଳ କରିସାରିବା ପରେ ଚାଷୀ ନଡ଼ାରେ ନିଆଁ ଲଗାଇ ଦେଇଥାଆନ୍ତି। ସେଗୁଡ଼ିକୁ ବୋହିବାରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏଭଳି ପଦକ୍ଷେପ ନେଇଥାଆନ୍ତି। ଫଳରେ ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରିଦେଉଛି। ପ୍ରାତଃ ସମୟରେ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଦିନର କୁହୁଡ଼ି ଏହି ଧୂଆଁ ସହ ମିଶିଯିବା ଫଳରେ ରାସ୍ତା ଦେଖିବା ମଧ୍ୟ କଷ୍ଟକର ହୋଇପଡ଼େ। ସେଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟେ। ବିଗତ କିଛିବର୍ଷ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରଦୂଷଣଜନିତ ସମସ୍ୟାରେ ଜର୍ଜରିତ ହୋଇଯାଉଥିବାରୁ ସେଥିରୁ ତ୍ରାହି ପାଇବା ସକାଶେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ୭ ଅକ୍ଟୋବରରେ ଏକ ଖବରଦାତା ସମ୍ମିଳନୀରେ ଏହାର ସମାଧାନ ଦିଗ ଉପରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାରେ ଚାଷୀଙ୍କ ସମସ୍ୟାକୁ ଦେଖି ପରିବେଶ ଉପଯୋଗୀ ମେଶିନ କିଣିବା ବାବଦକୁ ୧୧୫୦ କୋଟି ଟଙ୍କା ସହାୟତା ଦେଇଥିବା ବିଷୟ ଜାଭଡେକର ଉଲ୍ଲେଖ କରିଥିଲେ। ଇତିମଧ୍ୟରେ ପ୍ରାରମ୍ଭିକ ଅବସ୍ଥାରେ ଚାଷୀଙ୍କୁ ୧୮,୦୦୦ ମେଶିନ ମଧ୍ୟ ଯୋଗାଇ ଦିଆସରିଲାଣି। ଉକ୍ତ ମେଶିନ ସେହି ନଡ଼ାକୁ ସାରରେ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି କୁହାଯାଉଛି। କେନ୍ଦ୍ର ସରକାର ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରି ସହାୟତା ରାଶି ଦେବା ସହ ମେଶିନ ଯୋଗାଇ ଦେବା ଏକ ଉତ୍ତମ ପଦକ୍ଷେପ ବୋଲି କୁହାଯାଇପାରେ। କିନ୍ତୁ କୃଷକମାନେ ଆନ୍ତରିକତାର ସହ ତାହାକୁ କାର୍ଯ୍ୟକାରୀ ନ କଲେ ସମସ୍ୟା ବଢ଼ିଚାଲିବ।
ଆଜିର ସମୟରେ ଗୋଟିଏ କଥା ଦେଖାଯାଉଛି ଯେ, ଅନେକେ ସର୍ବଦା ଭାବୁଛନ୍ତି ସେମାନଙ୍କ ଲାଗି ଅନ୍ୟ କେହି କାର୍ଯ୍ୟ କରନ୍ତୁ। ସରକାରକୁ ପ୍ରତି କଥାରେ ଦୋଷ ଦିଆଯାଉଛି। ଓଡ଼ିଶା କଥା ଦେଖିଲେ ଏଠାକାର ଅନେକ ସହରାଞ୍ଚଳରେ ଅଳିଆକୁ ସ୍ଥାନାନ୍ତର କରିବା ବ୍ୟୟସାପେକ୍ଷ ଭାବି ପୋଡ଼ି ଦିଆଯାଉଥିବା ବାରମ୍ବାର ଦେଖିବାକୁ ମିଳୁଛି। ଏଥିରେ ମହାନଗର ନିଗମ ବା ନଗରପାଳିକାରେ କାର୍ଯ୍ୟରତ କର୍ତ୍ତୃପକ୍ଷ ସିଧାସଳଖ ସମ୍ପୃକ୍ତ ରହୁଛନ୍ତି ବୋଲି ସନ୍ଦେହ କରାଯାଉଛି। ଏଠାରେ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ର ଉଦାହରଣ ଦିଆଯାଇପାରେ। ପ୍ରବଳ ମାତ୍ରାରେ ଅଳିଆ ଉପୁଜାଉଥିବା ଏହି ମଲ୍‌ ନିଜର ଅଳିଆ ନିଷ୍କାସନର କୌଣସି ବ୍ୟବସ୍ଥା କରିବାକୁ ଚେଷ୍ଟା କରୁନାହିଁ। ଗୋଟିଏ ପଟେ ରାଜ୍ୟ ସରକାର ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ମଲ୍‌ରୁ ବାହାରୁଥିବା ଅନେକ ପରିମାଣ ବର୍ଜ୍ୟ ପ୍ଲାଷ୍ଟିକ୍‌ ବସ୍ତାରେ ପୂରାଯାଇ ଫିଙ୍ଗାଯାଉଥିବାର ସମସ୍ତେ ଦେଖୁଛନ୍ତି। ସେଥିରୁ ଅନୁମାନ କରାଯାଇପାରୁଛି ଯେ, ଏହି ମଲ୍‌କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉଚ୍ଚ କର୍ମକର୍ତ୍ତା ପ୍ରବଳମାତ୍ରାରେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଥିବେ। ଦୁହଁାଳିଆ ଗାଈ ଭଳି ବ୍ୟବସାୟିକ ସଂସ୍ଥା ଥରେ ଅଧେ ନୁହେଁ, ନିୟମିତ ଭାବେ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ବାଧ୍ୟ ହେଉଥିବେ। ତେଣୁ ପରିବେଶକୁ ବିଷାକ୍ତ ଓ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ହୋଇପଡ଼ିଲାଣି। ଏଥିସହିତ ବର୍ଜ୍ୟବସ୍ତୁରୁ କିଭଳି ଶକ୍ତି ଉତ୍ପନ୍ନ ହୋଇପାରିବ ସେଭଳି ଅନେକ ପ୍ଲାଣ୍ଟ ବସାଇବା ଲାଗି ସରକାର ପଦକ୍ଷେପ ନେବା ଜରୁରୀ। ଏଠାରେ ସିଙ୍ଗାପୁରର ଦୃଷ୍ଟାନ୍ତ ମଧ୍ୟ ଦିଆଯାଇପାରେ। ସେହି କ୍ଷୁଦ୍ର ଦେଶରେ ଅଳିଆ ପୁନର୍ବ୍ୟବହାର କରାଯିବାର ଅନେକ ଉପାୟ କାର୍ଯ୍ୟକାରୀ କରାଯାଉଛି। ସହରର ସବୁବର୍ଜ୍ୟକୁ ଏକାଠି କରାଯାଇ ସେଥିରୁ ଉତ୍ତାପ ଓ ଶକ୍ତି ଉତ୍ପନ୍ନ କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବା ସହ ସେହି ଅଳିଆକୁ ଶୂନ ସ୍ତରକୁ ଅଣାଯାଇପାରୁଛି। ଏହା କୌଣସି ବୈଜ୍ଞାନିକଙ୍କ ସ୍ବପ୍ନ ନୁହେଁ, ସିଙ୍ଗାପୁରର ବାସ୍ତବ ଚିତ୍ର। ଭାରତର କୌଣସି ସହରାଞ୍ଚଳରେ ସେଭଳି ପ୍ରଯୁକ୍ତିବିଦ୍ୟା ଉପଯୋଗ କରାଯାଉ ନାହିଁ, ଯାହାଫଳରେ ନିକଟ ଭବିଷ୍ୟତରେ ଭାରତର ଏୟାର କ୍ୱାଲିଟିକୁ ଆହୁରି ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri