ସମ୍ପାଦକୀୟ/ଅବିଶ୍ୱସନୀୟ ମନେହେଉଛି

ଭାରତର ସଂସଦୀୟ ଗଣତନ୍ତ୍ରର ଶାସନ ପଦ୍ଧତି ଦେଖିଲେ ଆଇନ ପ୍ରଣେତାମାନେ ବିଭିନ୍ନ ପ୍ରକାର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଥାଆନ୍ତି। ଯୋଜନାର ସ୍ବରୂପ ଦେଖି ଅମଲାତନ୍ତ୍ରୀ ବା ବିଶେଷଜ୍ଞମାନେ ତାହାକୁ କାର୍ଯ୍ୟକାରୀ କରିଥାଆନ୍ତି। ଯେହେତୁ ଲୋକଙ୍କ ସହ ସରକାରୀ ଅଧିକାରୀମାନେ ସିଧାସଳଖ ଯୋଗାଯୋଗରେ ଆସିଥାଆନ୍ତି, ସେହେତୁ ସେମାନଙ୍କୁ ବାସ୍ତବ ସରକାର ଭାବେ ଧରି ନିଆଯାଇଥାଏ। ସାଧାରଣତଃ ଭାରତବର୍ଷରେ ପ୍ରାୟ ଅଧିକାରୀ କେନ୍ଦ୍ରର ମନ୍ତ୍ରଣାଳୟ ବା ରାଜ୍ୟଗୁଡ଼ିକର ବିଭାଗରେ ଥିବା ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ହେଉ ନ ଥିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ବିଶେଷକରି ଅତ୍ୟଧିକ କ୍ଷମତାକୁ ନିଜ ହାତରେ ଠୁଳ କରି ରଖିଥିବା ସର୍ବଭାରତୀୟ ଅଧିକାରୀମାନେ ସ୍ଥଳବିଶେଷରେ ତା’ର ଅପବ୍ୟବହାର କରି ଆର୍ଥିକ ଓ ଅନ୍ୟାନ୍ୟ ପ୍ରକାରର ଫାଇଦା ଉଠାଇ ଚାଲିଛନ୍ତି। କଦବା କେତେବେଳେ ଦୁର୍ନୀତି ଅଭିଯୋଗରେ କେହି ଧରାପଡ଼ିଲେ ଚାକିରିରୁ ନିଲମ୍ବିତ କିମ୍ବା ସବୁଆଡ଼ୁ ବହୁତ ଖୋଳତାଡ଼ ହେଲେ ବହିଷ୍କାର ଯାଏ କଥା ଯାଇଥାଏ। ନ ହେଲେ ଅଧିକାଂଶ ଲୁଚିଲୁଚି ଅବସର ପର୍ଯ୍ୟନ୍ତ ଚାକିରିକୁ ନେଇଯାଇଥାଆନ୍ତି। ସେଥିପାଇଁ କୁହାଯାଇଥାଏ, ସରକାରୀ ଚାକିରି ହେଉଛି ସବୁଠାରୁ ନିରାପଦ। କାର୍ଯ୍ୟ ପ୍ରତି ଉତ୍ତରଦାୟିତ୍ୱର ଘୋର ଅଭାବ ଏହିଭଳି ଅନେକଙ୍କୁ ନିକମା ଅଧିକାରୀ ବା କର୍ମଚାରୀ କରାଇଥାଏ। ଡେରିରେ ହେଲେ ମଧ୍ୟ ଏବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ବରିଷ୍ଠ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଘଟଣା ନୂଆ ଉଦାହରଣ ସୃଷ୍ଟି କରିଛି। ଯେଉଁମାନଙ୍କ ବିରୋଧରେ ଏପରି କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି, ସେମାନଙ୍କ ନାମରେ ଦୁର୍ନୀତି, ଆୟବହିର୍ଭୂତ ସମ୍ପତ୍ତି ଠୁଳ, ଅପାରଗ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏମାନଙ୍କ ମଧ୍ୟରେ ଚିଫ୍‌ କମିଶନର, ପ୍ରିନ୍ସିପାଲ କମିଶନର ଏବଂ କମିଶନ ର଼୍ୟାଙ୍କର ଅଧିକାରୀମାନେ ରହିବା ଅବଶ୍ୟ କାହାରିକୁ ଆଶ୍ଚର୍ଯ୍ୟ ଲାଗୁ ନ ଥାଇପାରେ। ଦୁର୍ନୀତିର ଇତିହାସ ଦେଖିଲେ ଅନେକ ସମୟରେ ପ୍ରଶାସନର ଶୀର୍ଷ ସ୍ଥାନରେ ଥିବା ଅଧିକାରୀ ଅମଲାତନ୍ତ୍ରରେ କଳଙ୍କ ଆଣିଥାଆନ୍ତି।
ଭାରତରେ ଯେଉଁ ସ୍ତରରେ ଦୁର୍ନୀତି ହୋଇଥିଲେ ମଧ୍ୟ ପ୍ରଥମେ ରାଜନେତାଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥାଏ। ବାସ୍ତବରେ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ତଥା ସମ୍ପୂର୍ଣ୍ଣ ସମ୍ପୃକ୍ତି ବିନା ଦୁର୍ନୀତି ଅସମ୍ଭବ। ଓଡ଼ିଶାରୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ବୋପରି କେନ୍ଦ୍ରୀୟ ଯୋଜନା ବା ପ୍ରକଳ୍ପ କ୍ଷେତ୍ରରେ ପର୍ସେଣ୍ଟେଜ୍‌ ବା ପିସି ଭଳି ଶବ୍ଦ ସହ ସମସ୍ତେ ଅଭ୍ୟସ୍ତ ଥାଆନ୍ତି। ହାତଗୁଞ୍ଜା ନ ଦେଲେ କାମ ହେବ ନାହିଁ ବୋଲି ଧାରଣା ରହିଛି। କର୍ମଚାରୀ ଓ ଅଧିକାରୀମାନଙ୍କ ବାଟ ଦେଇ ଲାଞ୍ଚ ସର୍ବୋଚ୍ଚ ସ୍ତରରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥାଏ। ଲାଞ୍ଚ ଉପରକୁ ଯିବା ବାଟରେ ସେହି କାମରେ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଛାଣି ହୋଇଯାଇଥାଏ। ଲାଞ୍ଚ ଦେଇ ଅନୈତିକ ଉପାୟରେ କାମ କରି ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଯଦି ପ୍ରାରମ୍ଭିକ ଅବସ୍ଥାରେ ବାଧା ଦିଆଯାଇପାରନ୍ତା, ତାହା ହେଲେ ସାଧାରଣରେ ଏକ ସକାରାତ୍ମକ ବାର୍ତ୍ତା ଯାଆନ୍ତା ଯେ, ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟର ଅଧିକାରୀମାନେ ସଚ୍ଚୋଟ ଅଛନ୍ତି। ହେଲେ ସେଭଳି ବ୍ୟକ୍ତିଙ୍କୁ ପାଇବା ଲାଗି ଦିନରେ ଟର୍ଚ୍ଚ ଧରି ଖୋଜିବାକୁ ପଡ଼ିବ।
ନିକଟରେ ବଲାଙ୍ଗୀର ଜିଲା ପାଟଣାଗଡ଼ରେ ସର୍ବନିମ୍ନ ସ୍ତରର ଦୁର୍ନୀତି ଦେଖିବାକୁ ମିଳିଥିଲା। ସେଠାରେ ନିକୃଷ୍ଟ ଧରଣର ରାସ୍ତାକାମ ହୋଇଥିବା ଦର୍ଶାଇ ଲୋକମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଥିଲେ। ଏପରିକି ସ୍ଥାନୀୟ ବିଧାୟକ ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ୧୦୦ ଥର ଉଠ୍‌ବସ୍‌ ହେବା ପାଇଁ ନିର୍ଦ୍ଦେଶ ଦେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏ ସଂକ୍ରାନ୍ତ ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ରାସ୍ତାକାମ ନିମ୍ନମାନର ହୋଇଥିବା ଦୃଶ୍ୟମାନ ହେଉଛି। ହେଲେ ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କ ଉଠ୍‌ବସ୍‌ ହୋଇଗଲା ଗଣମାଧ୍ୟମ ପାଇଁ ମୁଖ୍ୟ ବିଷୟ। ସେତେବେଳେ ରାଜନେତାଙ୍କୁ ଦୋଷ ଦିଆଯାଉଥିବା ବେଳେ ବାସ୍ତବ ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଖସିଗଲେ। ଏଭଳି ଛୋଟ ସ୍ତରର ଦୁର୍ନୀତିଠାରୁ ଆରମ୍ଭ କରି ରାଫାଲ ଯାଏ ବଡ଼ ଦୁର୍ନୀତି ଭାରତୀୟ ସମାଜରେ ଏକ ଅଙ୍ଗ ହୋଇଯାଇଥିବାରୁ ଏଗୁଡ଼ିକର କୁପ୍ରଭାବ ଦେଖିବା ପାଇଁ କାହାରି ସମୟ ନାହିଁ। ଏହାଦ୍ୱାରା ଅପାରଗତା ଓ ଦୁର୍ନୀତି ଉଭୟେ ସାମାଜିକ ସ୍ବୀକୃତି ଲାଭ କରିସାରିଲେଣି। ଏଭଳି ପରିସ୍ଥିତିରେ ୧୨ ଜଣ ଉଚ୍ଚପଦସ୍ଥ ଆୟକର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସନ୍ଦେହ ଘେରରେ ରହିଯାଉଛି। କେଉଁ ଗୋଟିଏ ଶକ୍ତିଶାଳୀ ସ୍ବାର୍ଥାନ୍ବେଷୀ ଗୋଷ୍ଠୀର କ୍ଷତି ଘଟିଥିଲେ ଏଭଳି ‘ଦୃଢ଼’ କାର୍ଯ୍ୟାନୁଷ୍ଠାନ ଭାରତରେ ସମ୍ଭବପର। ଯଦି କେହି କୁହେ ଯେ, ଏହା ସରକାରଙ୍କ ଦୃଢ଼ ମନୋଭାବର ପରିଚୟ, ତେବେ ତାହା ବିଶ୍ୱାସଯୋଗ୍ୟ ହେବ ନାହିଁ। ଆଜିର ଭାରତରେ କୌଣସି ପଦକ୍ଷେପ ବିନା ସ୍ବାର୍ଥରେ ନିଆଯାଇ ନାହିଁ। ସେଥିପାଇଁ ଆୟକର ଅଧିକାରୀଙ୍କ ବାଧ୍ୟତାମୂଳକ ଅବସରକୁ ସହଜରେ ଗ୍ରହଣ କରି ହେଉନାହିଁ। ଉଦାହରଣସ୍ବରୂପ ଏହି ୧୨ ଜଣଙ୍କ ମଧ୍ୟରୁ କେତେ ଜଣଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଯଦି ଏହି ଅପରାଧ ପାଇଁ ଅଧିକାରୀଙ୍କୁ ବିଦା କରାଗଲା, ତେବେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଅଣାଯାଇଥିବା ଯୌନ ବ୍ୟଭିଚାର ଅଭିଯୋଗକୁ କେଉଁ ଭାବେ ରଫାଦଫା କରିଦିଆଗଲା ସେ ସମ୍ପର୍କରେ ପ୍ରଶ୍ନ ଉଠୁଛି। ନ୍ୟାୟ ସମ୍ମୁଖରେ ସମସ୍ତଙ୍କ ପାଇଁ ଗୋଟିଏ ମାପକାଠି। କିନ୍ତୁ ଭାରତରେ କେବଳ କଥାରେ କୁହାଯାଏ, ‘ନ୍ୟାୟ ତା’ ବାଟରେ ଯିବ’। ନ୍ୟାୟର ଯେହେତୁ ଆଖିରେ ପୁଟୁଳି ବନ୍ଧାଯାଇଛି, ସେଥିପାଇଁ ନିଜ ବାଟ ଖୋଜି ଯିବା ସମ୍ଭବପର ହୁଏ ନାହିଁ। ଏ ଦେଶରେ ମୁଷ୍ଟିମେୟ ଲୋକ ବ୍ୟବସ୍ଥାକୁ ହାତେଇ ନେବା ଫଳରେ ସବୁ ପଦକ୍ଷେପ-ଭଲ ହେଉ ବା ମନ୍ଦ-ଅବିଶ୍ୱସନୀୟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri