Categories: ମେଟ୍ରୋ

ସମୀର ହୋଇପାରନ୍ତି ପରବର୍ତ୍ତୀ ଭାଜପା ସଭାପତି, ଆନୁଷ୍ଠାନିକ ଘୋଷଣା ବାକି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟ ଭାଜପା ସଭାପତି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବରିଷ୍ଠ ନେତା ସମୀର ମହାନ୍ତି ମଙ୍ଗ ଧରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଗୁରୁବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ସହମତିି ଭିତ୍ତିରେ ସମୀର ନାମାଙ୍କନପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଛି ବୋଲି ଆଲୋଚନା ହେଉଛି। ଯଦି ଏପରି ହୁଏ ତେବେ ସଭାପତି ହେବାକୁ ଆଶା ରଖିଥିବା ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ଅନ୍ୟ ଆଶାୟୀମାନଙ୍କୁ ନିରାଶ ହେବାକୁ ପଡ଼ିପାରେ। ତେବେ ଶୁକ୍ରବାର ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ।

ପ୍ରକାଶ ଯେ, ୨୦୧୯ ଜାନୁୟାରୀରେ ସଭାପତି ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ ଶେଷ ହୋଇଥିଲା। ମାତ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ବସନ୍ତ ଉକ୍ତ ଦାୟିତ୍ୱରେ ରହିଥିଲେ। ଅପରପକ୍ଷେ ଏମ୍‌ପି ଭାବେ ସେ କଳାହାଣ୍ଡିରୁ ନିର୍ବାଚିତ ହୋଇଛନ୍ତି। ଏହାପରେ ରାଜ୍ୟ ଭାଜପାର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା।