ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ ୨୦୦୯, ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ଲଗାତାର ୩ୟ ଥର ବିଜୟୀ ହୋଇଛନ୍ତି। ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରି ବିଜୟୀ ହାସଲ କରିଛନ୍ତି।
ସମୀର ବିଜୟୀ ହେବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନବୀନଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ଗତ ୨୦ ବର୍ଷ ଧରି ବିଜେଡି ସରକାର ଓଡ଼ିଶାର ବିକାଶ ଲାଗି କାର୍ଯ୍ୟ କରି ଆସୁଛି। ଦଳର ସାଙ୍ଗଠନିକ ବିଚାର, କାର୍ଯ୍ୟଧାରା ଓ ଆତ୍ମବିଶ୍ୱାସ ଯୋଗୁ ମୁଁ ପୁଣି ଥରେ ବିଜୟ ଲାଭ କରିଛି। ଅଞ୍ଚଳର ବିକାଶକୁ ମୁ ସର୍ବଦା ପ୍ରାଥମିକତା ଦେଇଛି ଓ ଆଗକୁ ମଧ୍ୟ ଦେବି ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସମୀର କହିଛନ୍ତି ଯେ, ମୋ ନେତା ନବୀନ। ଦେଶସାରା ମୋଦି ଲହର ଲାଗି ରହିଥିବା ବେଳେ ଓଡିଶାରେ ତାର କୌଣସି ପ୍ରଭାବ ପଡିନାହିଁ । ବିଜେଡି ପୁଣି ଥରେ ଓଡିଶାବାସୀଙ୍କ ବିପୁଳ ସମର୍ଥନ ହାସଲ କରିଛି। ନିମାପଡାରେ ଭାଜପାର ହେଭିୱେଟ ନେତାଙ୍କ ପ୍ରଚାର ସତ୍ତ୍ବେ ନବୀନଙ୍କ ରୋଡ୍‌ ଶୋ’ ଆଗରେ ସବୁ ଫିକା ପଡିଯାଇଛି। ମୁ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଆସିଛି। ନିମାପଡ଼ା ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ। ଲୋକଙ୍କ ଆଶା ପୂରଣ ଲାଗି ଉଦ୍ୟମ କରିବା ସହ ନବୀନଙ୍କ ଯୋଜନା କାର୍ଯ୍ୟକାରୀତାକୁ ପ୍ରାଥମିକତା ଦେବି ବୋଲି ସେ କହିଛନ୍ତି।