ସମାଜ ସଂସ୍କାର ପାଇଁ ବରିଷ୍ଠ ନାଗରିକମାନେ ମଙ୍ଗୁଆଳ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ନୂଆପଡା ଅଫିସ,୨।୧୦ – ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିଥାଏ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷ ଉପରେ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନରେ ସମାଜ ଚାଲିଛି। ଏହାର ସଦୁପଯୋଗ ହେବା ଆବଶ୍ୟକ। ବରିଷ୍ଠ ନାଗରିକମାନେ ସମାଜ ସଂସ୍କାରର ମଙ୍ଗୁଆଳ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ନୂଆପଡା ଏନଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ସଭାପତିତ୍ୱ କରିଥିବାବେଳେ ଡିଆରଡିଏ ପିଡି ବୃଷଭ ଚନ୍ଦ୍ର ନାଏକ ମୁଖ୍ୟଅତିଥି, ଉପଜିଲାପାଳ ତରଣୀସେନ ନାଏକ, ଜିଲା ସାମାଜିକ ସୁରକ୍ଷାଧିକାରୀ ଗୋପଲକ୍ଷ୍ମୀ ହୋତା, ନୂଆପଡା ବରିଷ୍ଠ ନାଗରିକ ସଭାପତି କ୍ଷୀରୋଦ ନିବାସ ପଣ୍ଡା, ସାମାଜିକ କର୍ମୀ ପ୍ରମୋଦିନି ପଣ୍ଡା, ଟିମନ ବାରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନର ବିଭିନ୍ନ ଅନୁଭୂତି ବଖାଣିଥିବାବେଳେ ସରକାରୀସ୍ତରରେ କିପରି ଅବହେଳା କରାଯାଉଛି ସେ ଉପରେ ମତ ରଖିଥିଲେ। ବରିଷ୍ଠ ନାଗରିକମାନଙ୍କ ସ୍ବାର୍ଥ୍ୟ ରକ୍ଷା ନିମନ୍ତେ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବି.ବି. ଜଗତ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଥିବାବେଳେ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଅଜିତ କୁମାର ଓତା ଯୋଗଦେଇ ଆଇନ ସମ୍ପର୍କିତ ଦିଗ ଉପରେ ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଏକ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ ସାଲେଭଟା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଦମର ସମ୍ପାଦକ ଯାଜ୍ଞସେନୀ ମହାପାତ୍ରଙ୍କ ସହ ଏନଏସି ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।