ସମାଜ ସଂସ୍କାରରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅମରପାଲି, ୨୦।୧(ଡି.ଏନ.ଏ.) ସଂପ୍ରତି ସମାଜ ସଙ୍କୁଚିତ ହେବାରେ ଲାଗିଛି। ପରିବାରର ସଜ୍ଞା ଆମ ପରିବାର ନୁହେଁ, ମୋ ପରିବାରରେ ସୀମିତି ରହୁଛି। ବରିଷ୍ଠ ନାଗରିକଙ୍କୁ ପରିବାରର ବୋଝ ବୋଲି କୁହାଯାଉଛି। ଅନେକ ବରିଷ୍ଠ ନାଗରିକ ଏବେ ଅବହେଳିତ। ମାତ୍ର ମନେରଖିବା ଉଚିତ ସମାଜରେ ସଂସ୍କାର ଓ ପଥପ୍ରଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶନିବାର ବୀରମହାରାଜପୁରରେ ଅନୁଷ୍ଠିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ଏହି ମତ ରଖିଛନ୍ତି । ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ସଭାପତି ଭଗବାନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଟହୁଲୁ ସାହୁ ମୁଖ୍ୟଅତିଥି, ରେଆରର ସଭାପତି ଗୌରିଶ୍ୟାମ ପଣ୍ଡା ମୁଖ୍ୟବକ୍ତା ଏବଂ ବୀରମହାରାଜପୁର ଉପଖଣ୍ଡୀୟ ପୋଲିସ ଅଧିକାରୀ ଧିରୋଜ ଚୌପଦାର ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। କୃଷ୍ଣଚନ୍ଦ୍ର ପାଢ଼ୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଗଠନର ସମ୍ପାଦକ ସନ୍ତୋଷ ଷଡଙ୍ଗୀ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସୌମିତ୍ରୀ ମେହେର ସଂଯୋଜନା କରିଥିବା ବେଳେ ଧନୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୧୨ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ୬୦ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରି ସଂଗଠନର ସାମିଲ କରାଯାଇଥିଲା। ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ଶ୍ରୀନ୍ନିବାସ ନାୟକଙ୍କ ଦ୍ୱାରା ରାମାୟଣ ପାଠ କରାଯାଇଥିଲା। ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।