ସବୁ ବଡ଼ ସହରରେ ସୁରକ୍ଷା କଡ଼ାକଡି: ଡିଜିପି

କଟକ ଅଫିସ,୧-୧:୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି ଓ ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଡିଜିପି ଅଭୟ ମଙ୍ଗଳବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭୟ ଓଡିଶାବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ୨୦୨୦ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ନିରାପତ୍ତା ଓ ସମୃଦ୍ଧିର ବର୍ଷ ହେଉ ବୋଲି ଶୁଭକାମନା କରିଥିଲେ। ଓଡ଼ିିଶାବାସୀ ପୋଲିସକୁ ସହଯୋଗ କରିଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବ ବର୍ଷ ଭଳି ୨୦୨୦ରେ ମଧ୍ୟ ରାଜ୍ୟ ସରକାରଙ୍କ ୫-ଟି ଏବଂ ମୋ’ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପୋଲିସ ପ୍ରତିବଦ୍ଧ ବୋଲି ସେ କହିଥିଲେ। ନୂତନ ବର୍ଷ ପାଳନ ଅବସରରେ ଆଇନଶୃଙ୍ଖଳାକୁ ଆଖିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ିି କରାଯାଇଛି। ମୁଖ୍ୟତଃ ନୂତନ ବର୍ଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀରେ ପ୍ରବଳ ଭିଡ଼ ହୋଇଥାଏ। ଏଥିପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ବାହିନୀ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ବଡ ବଡ ସହରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଡିଜିପି ପ୍ରକାଶ କରିଛନ୍ତି।