ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ ଦେଉଛି। ହେଲେ ବର୍ଷା ସବୁକିଛି ପଦାରେ ପକାଇ ଦେଉଛି। ଅସରାଏ ବର୍ଷାରେ ସ୍ମାର୍ଟ ରାସ୍ତାର ନଗ୍ନ ଚିତ୍ର ସମସ୍ତେ ଦେଖୁଛନ୍ତି। ଡ୍ରେନ୍‌ରେ ଆବର୍ଜନା ଜମି ରହିଥିବାରୁ ଶୁକ୍ରବାର ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଉଚ୍ଛୁଳି ପଡିଥିଲା। ଡିଭାଇଡର ବୁଡି ଦୁଇପାର୍ଶ୍ୱ ରାସ୍ତା ମିଶିଯାଇ ନଦୀର ଭ୍ରମ ସୃଷ୍ଟି କରିଥିଲା। ଓଡି୦୫ଏଏଫ୍‌୩୧୬୧ ନମ୍ବର ବିଶିଷ୍ଟ କାର୍‌ ଇଞ୍ଜିନରେ ପାଣି ପଶିଯିବାରୁ ତାହା ଖରାପ ହୋଇଯାଇଥିଲା। ପାଣି ଭୟରେ ବସ୍‌ଠାରୁ ଆରମ୍ଭ କରି କାର୍‌ ଓ ବାଇକ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକ ଓ ସେପଟେ ରାଜମହଲ ଛକଠାରୁ ଗାଡ଼ିଗୁଡ଼ିକ ଲମ୍ବା ଲାଇନ୍‌ରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା।