Categories: ରାୟଗଡା

ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ ବିଭାଗ ସେମିଳିଗୁଡ଼ାରେ ଏଭଳି ଅଭିନବ ଉପାୟରେ ଚାରା ବାଣ୍ଟୁଛି। ସେମିଳିଗୁଡ଼ା ସ୍ଥିତ ଭେଣ୍ଡିଂଜୋନ୍‌ର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ତମ୍ବୁ ପକାଇ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲା ବନ ଅଧିକାରୀ ପି. ପୂର୍ଣ୍ଣିମା। ବନ ମହୋତ୍ସବ ସପ୍ତାହରେ ଦିନକୁ ୨୫ଶହ ଚାରା ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବର ୧୦ ଦିନ ଭିତରେ ୩୦ ହଜାର ଚାରା ମାଗଣାରେ ବଣ୍ଟାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସେମିଳିଗୁଡ଼ା ବନ ଅଧିକାରୀ ଜଗନ୍ନାଥ ବିଷୋୟୀ କହିଛନ୍ତି। ଚାରା ଭିତରେ ବେଲ, ଅଁଳା, ନିମ, ମହାନିମ, ଆମ୍ବ, କଦମ୍ବ, ଜାମୁ, ବଉଳ ଭଳି ବହୁ ଫଳଗଛର ଚାରା ବଣ୍ଟାଯାଇଥିଲା। ଏହି ଅବସରରେ ଏସିଏଫ୍‌ ଉମା ମହେଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।