ସବୁଜ ଜୋନ୍‌ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍‌ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍‌ ଜୋନ୍‌ରେ ରହିଛି। ଆଗାମୀ ଦିନରେ ଏପରି ସ୍ଥିତି ବଜାୟ ରଖିବାକୁ ହେଲେ ଜିଲାବାସୀଙ୍କୁ ଲକ୍‌ଡାଉନ ସହ ଲଗାଯାଇଥିବା ସମସ୍ତ କଟକଣାକୁ ମାନିବାକୁ ପଡ଼ିବ। ସରକାର ଓ ପୋଲିସ ପ୍ରଶାସନକୁ ସହଯୋଗ କଲେ ଅନୁଗୋଳ ଏପରି ସବୁଜ ଜୋନ୍‌ରେ ରହିପାରିବ ବୋଲି ଶୁକ୍ରବାର ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଇଛି। ବିଶେଷକରି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ପ୍ୟୁ ସମୟରେ ଘରୁ ନ ବାହାରିବାକୁ ଚେତାଇ ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁଙ୍କ ସହ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ସବ୍‌ଇନ୍ସପେକ୍ଟର ପ୍ରକାଶ ମାଝି, ଅରକ୍ଷିତ ସେଠୀ, ବିପ୍ଳବ ସାହୁ, ସତ୍ୟରଞ୍ଜନ ଲେଙ୍କା, ଯମୁନା ମାରାଣ୍ଡିଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ସକାଳେ ସହରରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଡାକବାଜି ଯନ୍ତ୍ରରେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲକ୍‌ଡାଉନ ବଳବତ୍ତର ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବା ୧୪୪ ଧାରା ଜାରି କରାଯାଇଛି। ତେଣୁ ଏହି ସମୟରେ ଲୋକମାନେ ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ବାରମ୍ବାର ସଚେତନ କରାଯାଉଥିବାରୁ ଏଣିକି ଯେଉଁମାନେ ଅମାନିଆ ହୋଇ ଘରୁ ପଦାକୁ ଗୋଡ କାଢିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।