ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ ଗତ ୪ ଦିନ ଧରି ପୌରପରିଷଦର ସଫେଇ କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରେ ଇପିଏଫ୍‌ ରାଶି ଜମା ଦେବା ଦାବି ନେଇ ଧର୍ମଘଟ ଚଳାଇଛନ୍ତି। ପୌରପରିଷଦ ପକ୍ଷରୁ ଏକ ସଂସ୍ଥାକୁ ସହରର ସଫେଇ କାର୍ଯ୍ୟ ଦିଆଯାଇଛି। ଏଥିରେ ନିଯୁକ୍ତ ୧୬୦ ଜଣ ଠିକା ସୁଇପର କର୍ମଚାରୀଙ୍କ ଇପିଏଫ୍‌ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ୪ ଦିନ ଧରି ସହରରେ ସଫେଇ କାର୍ଯ୍ୟ କରୁନାହାନ୍ତି। ପୌରପରିଷଦ ପକ୍ଷରୁ କେବଳ ୩୦ ଜଣ ସରକାରୀ ସୁଇପରଙ୍କୁ ନେଇ ୨୦ଟି ୱାର୍ଡରେ ସଫେଇ କରୁଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ପୌରପରିଷଦ ଓ ଠିକାସଂସ୍ଥା ମଧ୍ୟରେ ଏ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଠିକାସଂସ୍ଥାର ଜିଦ୍‌ ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁଇପରମାନେ ପୌରପରିଷଦ କାର୍ଯ୍ୟାଳୟ ଓ ଗାନ୍ଧୀ ଛକ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କୁ ପଚାରିବାରୁ ୧୬୦ ଜଣ ଠିକା ସଫେଇ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ଏଥିପାଇଁ ୩୦ ଜଣ ସରକାରୀ ସଫେଇ କର୍ମଚାରୀଙ୍କୁ ନେଇ ସଫେଇ କାର୍ଯ୍ୟ ଜାରି ରହିଛି। ଠିକାସଂସ୍ଥାକୁ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ସୁଇପରମାନଙ୍କୁ କାର୍ଯ୍ୟରେ ତୁରନ୍ତ ଲଗାଇବା ପାଇଁ ତାଗିଦ୍‌ କରାଯାଇଥିବା କହିଥିଲେ।