ସଫା କରିବା ବାହାନାରେ ଚେନ୍‌, କାନଫୁଲ ଲୁଟ୍‌

ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ କାନଫୁଲ ନେଇ ଚମ୍ପଟ ମାରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଯୁବକ ଏକ ପଲସର୍‌ ବାଇକ୍‌ରେ ଆସି ଫତେପୁର ଗ୍ରାମର ଜଣେ ମହିଳାଙ୍କ ଘରେ ପହଞ୍ଚତ୍ଥିଲେ। ସୁନାରୁପା ଅଳଙ୍କାର ସଫା କରିବ କି କହି ଜଣେ ଯୁବକ ଘରେ ପଶି ପଚାରିଥିଲା। ମହିଳା ଜଣକ ଗୋଟିଏ ୧୨ ଗ୍ରାମର ଚେନ୍‌ ଓ ୪ ଗ୍ରାମର ଦୁଇହଳ କାନଫୁଲ ଆଣି ଦେଖାଇଥିଲେ। ଯୁବକ ଜଣକ ଗରମ ପାଣି ଆଣ ବୋଲି କହିଥିଲେ। ମହିଳା ଜଣକ ଗରମ ପାଣି ଗ୍ୟାସ୍‌ରେ ବସାଇଥିବା ବେଳେ ସଂପୃକ୍ତ ଯୁବକ ଜଣକ ହାର ଓ କାନଫୁଲ ଧରି ପୂର୍ବରୁ ଦାଣ୍ଡରେ ବାଇକ୍‌ ଧରି ଛିଡ଼ା ହୋଇଥିବା ତାଙ୍କ ସହଯୋଗୀଙ୍କ ସହ ମଞ୍ଜୁରିରୋଡ଼ ଆଡ଼କୁ ଚମ୍ପଟ ମାରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ହେଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଚୋରି, ଲୁଟ୍‌ ଭଳି ଘଟଣା ବଢ଼ି ଚାଲିଥିବା ବେଳେ ପୋଲିସ ଚୋରି ସମ୍ପର୍କରେ କୌଣସି ଟେର୍‌ ମଧ୍ୟ ପାଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।