ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ବୁଧବାର ଦୁଇଜଣ ଅଚିହ୍ନା ଯୁବକ ସୁନା ଗହଣା ସଫା କରିବା ପାଇଁ ଆସି ଆରତିଙ୍କ ଘରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଆରତିଙ୍କ ପାଉଁଜି ସଫା କରିବାକୁ ମାଗିଥିଲେ। ଏହାପରେ ଆଉ କ’ଣ ସୁନାଗହଣା ସଫା କରିବା ପାଇଁ ଅଛି ଆଣିବାକୁ କହିବାରୁ ଆରତି ନିଜ ମଙ୍ଗଳସୁତ୍ର, ମୁଦି, କାନଫୁଲ ଇତ୍ୟାଦି ଆଣି ଦେଇଥିଲେ। ସଫା ଆରମ୍ଭ କରିବାକୁ ଯାଇ ଘରୁ ଟିକିଏ ହଳଦୀ ପାଣି ଏକ ଗିନାରେ ଆଣିବାକୁ ସେମାନେ ଆରତିଙ୍କୁ କହିଥିଲେ। ଆରତି ଘର ଭିତରୁ ହଳଦୀ ପାଣି ଆଣି ଲୁଟେରାମାନେ ଗହଣା ନେଇ ଚମ୍ପଟ ମାରିଥିବା ଦେଖିଥିଲେ। ସୁନାର ପରିମାଣ ପ୍ରାୟ ୩ ଭରି ହେବ ବୋଲି ସେ ଦର୍ଶାଇଛନ୍ତି। ବହୁ ଖୋଜାଖୋଜି ପରେ ଲୁଟେରାଙ୍କ ସନ୍ଧାନ ନ ପାଇ ସେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି।