ସପ୍ତାହ ମଧ୍ୟରେ ଲକ୍ଷେ ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୪।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହାରାହାରି ୧୫ ହଜାରରୁ ଅଧିକ ରହୁଛି। ସେହିପରି ପ୍ରତିଦିନ ହାରାହାରି ମୃତ୍ୟୁ ସଂଖ୍ୟା ୪ ଶହ ପାଖାପାଖି ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୬୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଛି। ଜୁନ୍‌ ୧୬ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାରରୁ ଅଧିକ ଥିବାବେଳେ ଜୁନ ୨୩ ସୁଦ୍ଧା ଏହା ୪ ଲକ୍ଷ ୫୫ ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ୨,୫୪୧ ଜଣଙ୍କର ମୃତ୍ୟୁ କରୋନା ଯୋଗୁ ଘଟିଛି। ଏବେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ସଂକ୍ରମଣ ରୋକିବା ପାଇଁ ଏବେ ପ୍ରତିଦିନ ୨ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି। ଏଥି ଲାଗି ଦେଶରେ ୭୩୦ଟି ସରକାରୀ ଏବଂ ୨୭୦ ଘରୋଇ ଲ୍ୟାବ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି।

Share