ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.)

ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ କରିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ଆଉ ମାତ୍ର ସପ୍ତାହେ ଥିବାରୁ ପ୍ରାର୍ଥୀଙ୍କ ହାର୍‌ ଜିତ୍‌ ସମ୍ପର୍କରେ ଆରମ୍ଭ ହୋଇଗଲାଣି ପୁନଃ ଅବଗଣନା। ପାନ ଦୋକାନ, ଚା’ ଦୋକାନରେ ଏହା ଏବେ ପାଲଟିଯାଇଛି ଆଲୋଚନାର ପ୍ରମୁଖ ପ୍ରସଙ୍ଗ। ସେହିପରି ନେତାଙ୍କ ସମର୍ଥକମାନେ ମଧ୍ୟ ଚଳାଇଛନ୍ତି କାଗଜ କଲମ ଚାଷ। ସେମାନଙ୍କ ନେତାଙ୍କୁ କେଉଁ ଅଞ୍ଚଳରୁ କେତେ ଭୋଟ ମିଳିଛି ଓ ତାହା ବିଜୟ ଆଣିପାରିବ କି ନାହିଁ ସେ ନେଇ ସେମାନେ ଅଙ୍କକଷି ଚାଲିଥିବା ବେଳେ ପ୍ରାର୍ଥୀମାନେ ବିଭିନ୍ନ ଦେବଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଅଖଣ୍ଡ ଦୀପ ଜାଳିବା ଆରମ୍ଭ କରିଦେଇଛନ୍ତି।
ଅନୁଗୋଳ ବିଧାନସଭା କ୍ଷେତ୍ରର ମୋଟ୍‌ ୨ ଲକ୍ଷ ୧୭ ହଜାର ୫୭୩ ଭୋଟରଙ୍କ ମଧ୍ୟରୁ ୭୪ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୬୦ ହଜାର ୮୧ ଜଣ ଚଳିତବର୍ଷ ମତଦାନ କରିଛନ୍ତି। ଏତେ ସଂଖ୍ୟକ ମତଦାତା ମୋଟ୍‌ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ସେମାନଙ୍କ ନେତା ବାଛିଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ ଅନୁଗୋଳରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ୨୩ ତାରିଖରେ ଇଭିଏମ୍‌ ଖୋଲାଯିବା ପରେ ଭୋଟର କାହା ମୁଣ୍ଡରେ ଶିରପା ବାନ୍ଧିଛନ୍ତି ତାହାର ସ୍ପଷ୍ଟ ଚିତ୍ର ସମ୍ମୁଖକୁ ଆସିବ। ଫଳାଫଳ ଆସିବାକୁ ଆଉ ସପ୍ତାହେ ଥିବାରୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଯାଇଛି। କେଉଁ ୱାର୍ଡକୁ କେଉଁ ପ୍ରାର୍ଥୀ କେତେ ଟଙ୍କା ଦେଇଥିଲେ ଓ ସେହି ଅନୁସାରେ ସେଠାରୁ ଭୋଟ ମିଳିଛି କି ନାହିଁ ତାହାର ହିସାବ ଚାଲିଥିବା ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଭୋଟଗ୍ରହଣ ପରେ କେତେଜଣ ନେତା ନିଜର ଖାସ୍‌ ସମର୍ଥନମାନଙ୍କୁ ଡାକି ଏସବୁ କାମ ଦେଇଥିଲେ। ତେବେ କିଛି ଦିନ ଏହି ଅଙ୍କକଷା ବନ୍ଦ ଥିବା ବେଳେ ଭୋଟ ଗଣତି ପାଖେଇ ଆସୁଥିବାରୁ ପୁନଃ ହିସାବ ଆରମ୍ଭ ହୋଇଛି। ପ୍ରାର୍ଥୀମାନଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ବିଭିନ୍ନ ଖଟିରେ ବସି କାଗଜ କଲମ ଧରି ଏହି ହିସାବ କରୁଥିବା ଦେଖାଯାଉଛି। ସେହିପରି କେତେଜଣ ନେତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ଲଗାଇବା ଆରମ୍ଭ କରିଦେଇଛନ୍ତି। କେତେଜଣ ପ୍ରାର୍ଥୀ ବାବା, ମାତା ଓ ଜ୍ୟୋତିଷମାନଙ୍କ ପାଖକୁ ଯାଇ ହାରଜିତ୍‌ ବିଷୟରେ ଗଣନା କରୁଥିବାରୁ ସେମାନଙ୍କ ଛନକା ବାରି ହୋଇପଡ଼ୁଛି।