ସପ୍ତାହକୁ ଥରେ ବସିବ ହାଟ

ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍‌ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ ରଘୁନାଥପୁର, ରେଢୁଆ ଓ ଜଇପୁର ହାଟରେ ଲୋକଙ୍କ ଗହଳି ହେଉଥିବାରୁ ଏହାକୁ ସପ୍ତାହରେ ୨ ଥର ବଦଳରେ ଥରେ ବସିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ରଘୁନାଥପୁର ତହସିଲଦାର ଶୁକ୍ରବାର ପୋଲିସ ଫୋର୍ସ ସହ ଜଇପୁର ହାଟରେ ପହଞ୍ଚତ୍ ଲୋକଙ୍କୁ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦେଇଥିଲେ। ସକାଳୁ ଜଇପୁର ହାଟରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଜମା ହୋଇଥିବା ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ରୂପାଲିକା ଦାଶ ଓ ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ ଦେଖିଥିଲେ। ହାଟରେ ଯେପରି ଗହଳି ନ ହୁଏ ସେ ଦିଗରେ ଦୃଷ୍ଟିଦେବାକୁ ସ୍ଥାନୀୟ ସରପଞ୍ଚ ଓ ହାଟ ନିଲାମଧାରୀଙ୍କ ସହ ସେମାନେ ଆଲୋଚନା କରିଥିଲେ। ହାଟଗୁଡ଼ିକ ପୂର୍ବାହ୍ନ ୯ଘଟିକାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାହାରକୁ ଆସୁଥିବା ବ୍ୟକ୍ତି ଉପଯୁକ୍ତ ପ୍ରମାଣ ନ ଦେଖାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଅଧିକାରୀ ଦ୍ୱୟ ପ୍ରକାଶ କରିଛନ୍ତି। ପୋଲିସ ପକ୍ଷରୁ ରଘୁନାଥପୁର, ତାରପୁର ବାଇପାସ, ଜଇପୁର ଛକ, ରେଢୁଆ ହାଟ, ତରିକୁନ୍ଦ ବଜାର ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ଛକରେ ଫୋର୍ସ ମୁତୟନ କରାଯାଇଛି। ଗ୍ରାମ ମଧ୍ୟକୁ ପିସିଆର୍‌ ଭ୍ୟାନ ଯାଇ ପରିସ୍ଥିତି ଉପରେ ନଜର ରଖିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୫ ବିଦେଶ ଫେରନ୍ତାଙ୍କୁ ସେମାନଙ୍କ ଘରେ ଆଇସୋଲେଶନରେ ରଖାଯାଇଛି। ପ୍ରତ୍ୟେକ ଦିନ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ସୁକାନ୍ତ କୁମାର ଦଳାଇ ପ୍ରକାଶ କରିଛନ୍ତି।