ସଡ଼କ ଦୁର୍ଘଟଣାରେ ୨ମୃତ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା

ଧର୍ମଶାଳା/ଜେନାପୁର,୧୪ା୧୨(ଡି.ଏନ୍‌.ଏ.): ମୃତ୍ୟୁ ଏମିତି ବି ଆସେ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଆଉ ଜଣେ ଯୁବକ ଏକ ଟ୍ରକ୍‌ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ବାଘୁଆ ଛକଠାରେ ଶୁକ୍ରବାର ଅପରାହ୍ନରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ରାଜପଥକୁ ଅବରୋଧ କରିଥିଲେ। ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଯାତାୟାତ ସ୍ବାଭାବିକ କରିଥିଲେ। ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ସୁକିନ୍ଦା ଅଞ୍ଚଳର ଚନ୍ଦ୍ରଶେଖର ଦ୍ୱିବେଦୀ(୪୨) ବାଇକ ଯୋଗେ ଚଣ୍ଡିଖୋଲ ଦେଇ ଘରକୁ ଫେରୁଥିବା ବେଳେ ବାଘୁଆ ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେ ମୁମୂର୍ଷୁ ଅବସ୍ଥାରେ ବାଇକ ଉପରେ ପଡ଼ି ଛଟପଟ ହେଉଥିବାବେଳେ ସେହି ରାସ୍ତା ଦେଇ କବାଟବନ୍ଧ ଅଞ୍ଚଳର ଅଜୟ ବେହେରା(୪୬) ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଦେଖି ସେ ବାଇକରୁ ଓହ୍ଲାଇ ରାସ୍ତା କଡ଼ରେ ଛିଡାହୋଇ ଆମ୍ବୁଲାନ୍ସକୁ ଫୋନ କରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ (ନଂ.ଓଆର ୦୯-ଜି-୭୫୧୯) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଜୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଚନ୍ଦ୍ରଶେଖରଙ୍କୁ ଗୁରୁତର ଅବସ୍ଥାରେ ଡୁବୁରୀସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏ ନେଇ ୨ଟି ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଓ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।