ସଡକ ସୁରକ୍ଷା ନିୟମ ମାନିଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୧୮।୧୦(ନି.ପ୍ର.) ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ସଡକ ଦୁର୍ଘଟଣାରେ ତାଠୁ ଢେର ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ସାରା ବିଶ୍ୱ ପାଇଁ ଚିନ୍ତାଜନକ ବିଷୟ। ତେବେ ଏହାର ପ୍ରତିକାର ଆମ ହାତରେ ଅଛି। ସମସ୍ତେ ସଡକ ସୁରକ୍ଷା ନିୟମ ମାନି ଚଳିଲେ ଦୁର୍ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ୱ ସ୍ମୃତି ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ ଏହି ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଓ ଜିଲା ସଡକ ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଆହୁରି କହିଲେ ଯେ ମଦ୍ୟପାନ କରି ଓ ମୋବାଇଲ ବ୍ୟବହାର କରି ଗାଡି ଚଳାଇବା ଦ୍ୱାରା ଦୁର୍ଘଟଣା ବୃଦ୍ଧି ପାଉଛି । ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଭିନ୍ନ କାରଣ ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା କହିଥିଲେ । ହେଲମେଟ୍‌ ବ୍ୟବହାର ନ କରିବା, ଦୃତ ଗତିରେ ଗାଡି ଚଳାଇବା, ରାସ୍ତାରେ ସାଇନ ଏଜ୍‌ ଓ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ନ ହେବା ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଥିଲେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ମାସ ତୃତୀୟ ରବିବାର ଏହି ଦିବସ ପାଳନ କରାଯାଉଛି। ଜିଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏଥିପାଇଁ ଗତ ୪ମାସ ମଧ୍ୟରେ ଦୁର୍ଘଟଣା ହ୍ରାସ ପାଇଛି। ଆଗାମୀ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପଟ୍ଟନାୟକ କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନ୍ଥୋନି ତିର୍କୀ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଦିଲ୍ଳିପ କୁମାର ପଣ୍ଡା, ଜିଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ସୋନପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଧୀରଜ ଚୋପଦାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିବା ସୋନପୁର ସହର ନୂଆପଡାର ରାଜକୁମାର ମେହେର ଓ ଜୟଶଙ୍କର ମେହେରଙ୍କୁ ଏହି ଅବସରରେ ୨ ହଜାର ଟଙ୍କାର ଚେକ୍‌ ଓ ମାନପତ୍ର ଜିଲାପାଳ ପ୍ରଦାନ କରିଥିଲେ। ସରକାରଙ୍କ ଗୁଡ୍‌ ସମରିଟାନ ପଲିସି ଆସିବା ପରେ ଜିଲାରେ ପ୍ରଥମ ଥର ପାଇଁ ସଡକ ଦୁର୍ଘଟଣାରେ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ୨ ଯୁବକ ସମ୍ମାନିତ ହୋଇଛନ୍ତି ।