Categories: ଅନୁଗୋଳ

ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ

ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ ଧରି ପୌର ପ୍ରଶାସନ ପକ୍ଷରୁ ସହରର ଗଳି କନ୍ଦିରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବା ପରେ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ୧୦ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବହୁ ପରିମାଣର ପଲିଥିନ ମଧ୍ୟ ଜବତ କରାଯାଇଛି। ଚଢ଼ାଉ ସମୟରେ ପୌର କର୍ତ୍ତୃପକ୍ଷ ପଲିଥିନ ନ ରଖିବାକୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି।
ପୌର ପ୍ରଶାସନ ପକ୍ଷରୁ ଏକ ୬ ଜଣିଆ ଟିମ୍‌ ସହରର ହରିମହୁରୀଛକ, ବଜାର ଛକ ଓ ହନୁମାନ ବଜାରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ କେତେଜଣ ବ୍ୟବସାୟୀ ପଲିଥିନ ଲୁଚାଇ ଦେଇଥିବାବେଳେ ଆଉ କେତେଜଣ ଦୋକାନରେ ଏହାକୁ ମହଜୁଦ ରଖିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ଏପରି କି ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ ସହ ବିଭିନ୍ନ ସାମଗ୍ରୀ ଦୋକାନରେ ବସ୍ତା ବସ୍ତା ରଖାଯାଇଥିବା ପୌର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଚଢ଼ାଉ ସମୟରେ କେତେକ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ଅନ୍ୟ କେତେଜଣଙ୍କଠାରୁ ଅଳ୍ପ ପରିମାଣର ପଲିଥିନ ମିଳିଥିବାରୁ ସେମାନଙ୍କୁ ପଲିଥିନ ନ ରଖିବାକୁ ଚେତାବନୀ ଦିଆଯାଇଥିଲା।
ଏ ନେଇ ପୌର ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ରଙ୍କୁ ପଚାରିବାରେ କହିଛନ୍ତି, ସହରରେ ପଲିଥିନ ବ୍ୟବହାର ନ କରିବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯାଇଛି। ଏହାପରେ ସୋମବାର ଠାରୁ ବିଭିନ୍ନ ଦୋକାନ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଉଛି। ଆଗକୁ ଏହି ଚଢ଼ାଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।