ସଚେତନତାରେ ପୋଲିସ, ଓକିଲ ସଂଘ କର୍ମକର୍ତ୍ତା ସାମିଲ; ହେଲମେଟ ପିନ୍ଧିବା ପାଇଁ ଏସ୍‌ପି ପରାମର୍ଶ ଦେଲେ

ନୂଆପଡା ଅଫିସ,୧୬ା୯ : ପରିବର୍ତ୍ତିତ ପରିବହନ ଅଧିନିୟମକୁ କଡାକଡି କାର୍ଯ୍ୟାନ୍ବୟନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ଉଦ୍ୟମ ଆରମ୍ଭ କରିଛି। ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପ୍ରତିଦିନ ବିକଳ୍ପ ଖୋଜି ଲୋକଙ୍କ ମଧ୍ୟରେ ତପତ୍ରତା ଅଣାଯାଉଛି। ରବିବାର ଏସପି ବିନୀତ ଅଗ୍ରୱାଲ ନିଜେ ଏକତା ଛକକୁ ଆସି ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଜିଲା ଓକିଲ ସଂଘ ମଧ୍ୟ ଗୋଟିଏ ପାଦ ଆଗକୁ ଆସି ସାମିଲ ହୋଇଥିଲେ।
ରବିବାର ଅପରାହ୍ନ ସାଢେ ୫ଟାରେ ନୂଆପଡାର ପ୍ରମୁଖ ଏକତା ଛକ ନିକଟରେ ପ୍ରତିଦିନ ଭଳି ପୋଲିସ ଚେକିଂ ହୋଇଥିଲା । ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡଙ୍କ ନେତୃତ୍ୱରେ ବହୁ ପୋଲିସ ଅଧିକାରୀ ଏବଂ ଆଇନଜୀବୀମାନେ ସାମିଲ ହୋଇଥିଲେ। ସମସ୍ତ ଗାଡି ଚାଳକମାନଙ୍କୁ ଅଟକାଇ ହେଲମେଟ ସହ ଅନ୍ୟାନ୍ୟ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ। କିଛି ସମୟ ପରେ ଏସପି ଅଗ୍ରୱାଲ ମଧ୍ୟ ଆସି ଯୋଗଦେଇଥିଲେ । ଓକିଲ ସଂଘ କର୍ମକର୍ତ୍ତା, ପୋଲିସ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ଗାଡି ଚାଳକମାନଙ୍କୁ ଡାକି ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ନିଜେ ବଞ୍ଚତ୍ବା ସହ ଅନ୍ୟକୁ ବଞ୍ଚାଇ ହେବ ବୋଲି କହିଥିଲେ । ଏହି ଅବସରରେ ଓକିଲ ସଂଘ କର୍ମକର୍ତ୍ତାଙ୍କ ସହ ଗାଡି ଚାଳକମାନେ ମଧ୍ୟ ଏକ ଫଟୋ ସେସନରେ ପୋଜ ଦେଇଥିଲେ । ଫଳରେ ଏହି ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ଏହି ଚେକିଂ ବ୍ୟବସ୍ଥାକୁ କେବଳ ଏହି ଛକରେ ସୀମିତ ନ ରଖି ଅନ୍ୟଠାରେ ବ୍ୟାପକ କରିବା ଜରୁରୀ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଆଜକୁ ସପ୍ତାହେ ହେବ ଏହି ଛକରେ ପୋଲିସ ଚେକିଂ ହେଉଥିବାରୁ ଲୋକେ ସନ୍ଧ୍ୟା ହେଲେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ଚିନ୍ତା କରୁଛନ୍ତି । ଏହା ମୁଖ୍ୟ ଛକ ହୋଇଥିବାରୁ ଏଠିକାର ଦୋକାନ ବଜାର ଉପରେ ଏହାର ପ୍ରଭାବ ପଡୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି ।