ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ମୁନିଗୁଡା,୨୯।୧୦(ଡି.ଏନ୍‌.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଔଷଧ ବିତରଣ କେନ୍ଦ୍ର ବୁଲି ଦେଖିବା ସହ କିପରି ଔଷଧ ବିତରଣ କରାଯାଉଛି ସେନେଇ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ କେତେଜଣ ଡାକ୍ତର ଅଛନ୍ତି ଏବଂ କ’ଣ ସମସ୍ୟା ରହିଛି ସେନେଇ ମେଡିକାଲ ଅଫିସର ଡା.ସଞ୍ଜୟ କୁମାରଙ୍କୁ ପଚାରି ବୁଝିବା ସହ ଅଧିକ ଆଲୋଚନା କରିଥିଲେ। ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ ସହ ପାଠପଢ଼ା ସମ୍ବନ୍ଧରେ ଆଲୋଚନା କରିଥିଲେ। ପରେ ସଚିବ କରଡ଼ାବନ୍ଦ,ଭୁରୁସିଖୁମା, ଖୁଣ୍ଟବାଡ଼ି ଆଦି ସ୍ଥାନକୁ ପରିଦର୍ଶନରେ ଯାଇ ଅଙ୍ଗନବାଡି କେନ୍ଦ୍ର, ଉଠା ଜଳସେଚନ କେନ୍ଦ୍ର ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ l ଏହି ଗସ୍ତ ସମୟରେ ପ୍ରମୁଖ ସଚିବଙ୍କ ସହ ରାୟଗଡା ପିଡି ଡିଆର୍‌ଡିଏ ଅମୃତ ରିତୁରାଜ, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଡିଡବ୍ଲୁଓ ନନ୍ଦଲାଲ ବିଶ୍ୱାଳ, ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ, ଡିଏସ୍‌ଡବ୍ଲୁଓ, ମୁନିଗୁଡା ବିଡିଓ ଦିଲ୍ଲୀପ କୁମାର ବେହେରା, ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ, ଏପିଓ ମାନସୀ ପାତ୍ର, ବିଏସ୍‌ଏସ୍‌ଓ ରଞ୍ଜିତା ବେହେରାଙ୍କ ସମେତ ବହୁ ଜଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I