ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ସୂଚନାଅନୁସାରେ, ଉକ୍ତ ପ୍ରେମୀଯୁଗଳଙ୍କ ମଧ୍ୟରେ ଦୀର୍ଘଦିନ ହେଲା ସମ୍ପର୍କ ଥିତ୍ଲା। ସେମାନେ ୨୦୧୯ରେ ପରିବାର ଲୋକଙ୍କୁ ନ ଜଣାଇ ବାଙ୍ଗାଲୋର ଚାଲିଯାଇଥିଲେ । ରାଜାରାମ ବାଙ୍ଗାଲୋରର ଏକ ଗାର୍ମେଣ୍ଟ କମ୍ପାନୀରେ କାମ କରି ପେଟ ପୋଷୁଥିଲେ। କରୋନା ସଂକ୍ରମଣ ପାଇଁ ଲକଡାଉନ କୋହଳ ହେବା ପରେ ଉକ୍ତ ପ୍ରେମୀଯୁଗଳ ଗାଁକୁ ଫେରି ୧୪ ଦିନ କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ହାଇସ୍କୁଲରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେମାନେ ସଙ୍ଗରୋଧ କେନ୍ଦ୍ର ଛାଡିବା ପୂର୍ବରୁ ଦୁହେଁ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇ ବିବାହ କରିବାକୁ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଦୁହେଁ ଗୋଟିଏ ଜାତିର ହୋଇଥିବାରୁ ଦୁଇ ପରିବାର ମଧ୍ୟ ସହମତି ହୋଇଥିଲେ। ପରେ ସ୍ଥାନୀୟ କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ ଦୁଇ ପରିବାରଙ୍କ ସହ ଆଲୋଚନା କରି ସ୍ଥାନୀୟ ବ୍ଲକ ପ୍ରଶାସନର ଅନୁମତି କ୍ରମେ ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିବାକୁ ଦିନ ସ୍ଥିର କରିଥିଲେ। ସୋମବାର ସରପଞ୍ଚ, ଅନ୍ୟ ଅତିଥି ଓ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ଉପସ୍ଥିତିରେ ଉକ୍ତ ପ୍ରେମୀଯୁଗଳ ପରସ୍ପରକୁ ବରଣମାଳା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।