ସଙ୍ଗରୋଧ କେନ୍ଦ୍ରରେ ଟିକଟିକ୍‌, ପ୍ରଶାସନ ପାଖରେ ଖବର ନାହିଁ

ବାରିପଦା ଅଫିସ,୧୭ା୬- ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ କିଛି ଦିନ ହେଲାଣି ଟିକଟିକ୍‌ ଭିଡ଼ିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଦୁଇଦିନ ତଳେ ସେ କରିଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହି ଘଟଣା ପଦାକୁ ଆସିଛି। ତେବେ ସଙ୍ଗରୋଧ କେନ୍ଦ୍ରରେ ଭିଡ଼ିଓ ହେବା ଘଟଣା ଉକ୍ତ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାରିଲାପଣିଆଙ୍କୁ ନେଇ ପ୍ରଶ୍ନ ଉଠିଛି। ଏହିଭଳି ଘଟଣା ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ଏକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ହୋଇଥିବା ଏହି କେନ୍ଦ୍ରରେ ବର୍ତ୍ତମାନ ୨୦ ଜଣ ପ୍ରବାସୀ ରହୁଥିବା ବେଳେ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ କେନ୍ଦ୍ରରେ କେତେବେଳେ ଦେଖା ମିଳେ ନାହିଁ। ଦାୟିତ୍ୱରେ ଥିବା ଅଧିକାରୀ ନିକଟସ୍ଥ ଏକ ହୋଟେଲକୁ ପ୍ରବାସୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କହି ଦେଇ ତାଙ୍କ ଦାୟତ୍ୱ ସାରି ଦେଇଛନ୍ତି। ନିର୍ବାହୀ ଅଧିକାରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଗରୋଧ କେନ୍ଦ୍ରରେ ରହି ଦାୟିତ୍ୱ ପରିଚାଳନା କରିବା ପାଇଁ ନିୟମ ଥିଲେ ମଧ୍ୟ ଏଠାେରେ କରୋନା ଭୟରେ କାହା ପାଦ ପଡ଼ୁ ନ ଥିବା ଅଭିଯୋଗ ହେଉଛି। ସେହିଭଳି ରାତ୍ର ଜଗୁଆଳ ରାତିରେ ଆସି କିଛି ସମୟ ରହୁଛନ୍ତି। ଏହାର ଫାଇଦା ନେଇ କିଛି ଦିନ ତଳେ କେନ୍ଦ୍ରକୁ ଆସୁଥିବା ଜଣେ ଯୁବକ ଟିକଟିକ୍‌ ଭିଡ଼ିଓ କରିବାରେ ଲାଗିଛନ୍ତି। ଏ ନେଇ ବାଙ୍ଗିରିପୋଷି ବିଡିଓ ରାମଦାସ ଟୁଡ଼ୁଙ୍କୁ ପଚାରିବାରୁ ମୁଁ ବର୍ତ୍ତମାନ ଛୁଟିରେ ଅଛି ଓ ଏନେଇ କିଛି ଜାଣି ନାହିଁ ବୋଲି କହିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଯଦି ଏହିଭଳି କିଛି ହୋଇଥିବ ତେବେ ତାହାର ତଦନ୍ତ କରିବେ ବୋଲି ସେ ପ୍ରକାଶ କରିଛନ୍ତି।