ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ ହେବାର ସୁଯୋଗ ରହିଛି। ରୋହିତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୯୦.୬୬ ଆଭରେଜରେ ୪ ଶତକ ସହ ୫୪୪ ରନ୍‌ କରିସାରିଛନ୍ତି। ସେ ଏବେ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ। ଆଗାମୀ ମ୍ୟାଚ୍‌ରେ ଶତକ ଲଗାଇବାରେ ସଫଳ ହେଲେ ରୋହିତ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ଲଗାଇବାର ରେକର୍ଡ ଅଧିକାରୀ ହେବେ। ବିଶ୍ୱକପ୍‌ର ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୬୭୩)ଙ୍କ ନାମରେ ରହିଛି। ଏହି ରେକର୍ଡ ଭଙ୍ଗ କରିବା ଲାଗି ରୋହିତଙ୍କୁ ଆଉ ୧୨୯ ରନ୍‌ ଦରକାର। ଫର୍ମକୁ ଦେଖିଲେ ବଳକା ଦୁଇଟି ମ୍ୟାଚ୍‌ରେ ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ ନିଶ୍ଚିତ ଉକ୍ତ ରେକର୍ଡକୁ ନିଜ ନାମରେ କରିବେ। ଏହାବାଦ୍‌ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ସର୍ବାଧିକ ସ୍କୋର କରିଥିବା ରେକର୍ଡ ସଚିନଙ୍କ ନାମରେ ରହିଛି। ସଚିନ ୨୦୦୩ ବିଶ୍ୱକପ୍‌ରେ ୯ ମ୍ୟାଚ୍‌ରେ ୫୮୬ ରନ୍‌ କରିଥିଲେ। ଚଳିତ ଥର ରୋହିତ ୭ ମ୍ୟାଚ୍‌ରୁ ୫୪୪ ରନ୍‌ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସଚିନଙ୍କୁ ଅତିକ୍ରମ କରିବା ଲାଗି ରୋହିତଙ୍କୁ ୪୨ ରନ୍‌ ଦରକାର। ଏହି ମ୍ୟାଚ୍‌ କେବଳ ରୋହିତଙ୍କ ପାଇଁ ନୁହେଁ ବରଂ ସେମିଫାଇନାଲ ସ୍ଥାନ ପକ୍କା କରି ସାରିଥିବା ଭାରତୀୟ ଦଳ ଲାଗି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କାକୁ ହରାଇଲେ ଭାରତ ପଏଣ୍ଟ ତାଲିକାର ଶୀର୍ଷ ଅଧିକାର କରିପାରେ।

Share