ସଂସ୍କୃତ ପୁସ୍ତକର ପାର୍ସୀ ଅନୁବାଦ

ଇଂ. ମାୟାଧର ସ୍ବାଇଁ: ମୋଗଲ ସମ୍ରାଟ୍‌ ଆକବର ୧୫୫୬ରୁ ୧୬୦୫ ପର୍ଯ୍ୟନ୍ତ ଭାରତ ଶାସନ କରିଥିଲେ। ସେ ଭାରତର ପ୍ରାଚୀନ ଜ୍ଞାନଗରିମା ସମ୍ବନ୍ଧରେ ଜାଣିଥିଲେ ଏବଂ ଏହାକୁ ମୁସଲମାନ ପଣ୍ଡିତ ଓ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ କେତୋଟି ବିଶିଷ୍ଟ ସଂସ୍କୃତ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରାଇଥିଲେ। ସେ ଏଥିପାଇଁ ୧୫୭୫ ମସିହାରେ ତାଙ୍କ ରାଜଧାନୀ ଫତେପୁର ସିକ୍ରି (ଆଗ୍ରା ନିକଟ)ଠାରେ ଗୋଟିଏ ଅନୁବାଦ ସଂସ୍ଥା ସ୍ଥାପନ କରିଥିଲେ।
ବ୍ୟାସକୃତ ସଂସ୍କୃତ ମହାଭାରତର ପାର୍ସୀ ଅନୁବାଦ ୧୫୮୨ ମସିହାରେ ହୋଇଥିଲା। ଅବଶ୍ୟ ଏହାର ନାମ ରଜମ୍‌-ନାମା (ଯୁଦ୍ଧ ପୁସ୍ତକ) ରଖାଯାଇଥିଲା। ଆକବର ଏହାକୁ ମୁଖ୍ୟତଃ ରାଜ୍ୟ ଶାସନକଳା ସମ୍ବନ୍ଧୀୟ ପୁସ୍ତକ ମନେ କରୁଥିଲେ। ସଂସ୍କୃତ ପଣ୍ଡିତ ଦେବ ମିଶ୍ର, ସତାଉଦାନି, ମଧୁସୂଦନ ମିଶ୍ର ଓ ଚତୁର୍ଭୁଜଙ୍କ ସହାୟତାରେ ନାକିବ ଖାଁ, ମୁଲ୍ଲା ଶିରି, ଅବଦ ଅଲ୍‌-କାଦିର ବଦଉନି ଓ ସୁଲତାନ ଥାନୀସାରୀ ଏହାକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ସେହିପରି ନାକିବ ଖାଁ, ବଦଉନି ଓ ସୁଲତାନ ଥାନୀସାରୀ ବାଲ୍ମୀକିକୃତ ସଂସ୍କୃତ ରାମାୟଣକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ।
ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ରଚିତ ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ହେଉଛି ଗୋଟିଏ ଶିକ୍ଷାମୂଳକ କିଶୋର ଗଳ୍ପ ପୁସ୍ତକ। ଏହାର ଲୋକପ୍ରିୟତା ଭାରତ ବାହାରେ ମଧ୍ୟ ବ୍ୟାପିଥିଲା। ଷଷ୍ଠ ଶତାବ୍ଦୀରେ ଏହା ପଲ୍ଲବୀ ଭାଷାରେ ଅନୂଦିତ ହୋଇଥିଲା। ପଲ୍ଲବୀ ଭାଷାରୁ ଏହା ଅଷ୍ଟମ ଶତାବ୍ଦୀରେ ଆରବୀୟ ଭାଷାରେ ‘କାଲିଆ ଓ୍ବା ଦିିମ୍‌ନା’ ନାମରେ ଅନୂଦିତ ହୋଇଥିଲା। ଆରବୀୟ ଭାଷାରୁ ଏହା ଆଧୁନିକ ପାର୍ସୀ ଭାଷାରେ ହେରାଟ୍‌ଠାରେ ୧୫୦୪ ମସିହାରେ ଅନୂଦିତ ହୋଇଥିଲା ଏବଂ ଏହାର ନାମ ଥିଲା ‘ଅନଭାର-ଇ ସୁହାୟାଲି (କାନୋପସ୍‌ ନକ୍ଷତ୍ରର ଆଲୋକ)। ଆକବରଙ୍କ ନିର୍ଦ୍ଦେଶରେ ପଞ୍ଚତନ୍ତ୍ରର ଦୁଇଟି ଅନୁବାଦ ପ୍ରକାଶ ପାଇଥିଲା। ଅନଭାର-ଇ-ସୁହାୟାଲି ଆଧାରରେ ତାଙ୍କ ସଭାର ମନ୍ତ୍ରୀ ତଥା ଐତିହାସିକ ଆବୁଲ ଫାଜଲ ଯେଉଁ ଅନୁବାଦ କରିଥିଲେ, ତାହାର ନାମ ହେଉଛି ‘ଇୟାରୀ ଦାନିଶ୍‌’ (ବୌଦ୍ଧିକ କସୌଟି)। ମୁସ୍ତାଫା ଖିଲିକ୍‌ ଦାଦ୍‌ ଆବାସି ପଞ୍ଚତନ୍ତ୍ରର ଜୈନରୂପ ‘ପଞ୍ଚଖ୍ୟାନା’କୁ ‘ପଞ୍ଚଖ୍ୟାନାହା’ (ପାଞ୍ଚଟି ଗଳ୍ପ) ନାମରେ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ଅନ୍ୟତମ ପ୍ରାଚୀନ ସଂସ୍କୃତ ଗ୍ରନ୍ଥ ‘ସିଂହାସନ ଦ୍ୱାତ୍ରିଶିଂକା’ (ବତ୍ରିଶ ସିଂହାସନ)କୁ ବଦାଉନି ପାର୍ସୀ ଭାଷାରେ (ନାମ-ଇ ଖିରାଦ ଆଫ୍‌ଜା) ଅନୁବାଦ କରିଥିଲେ। ଚତୁର୍ଭୁଜ ଦାସ ‘ଶାଘାଂମ୍‌’ (ରାଜାଙ୍କ ପୁସ୍ତକ) ନାମରେ ଏହାର ଅନ୍ୟ ଏକ ଅନୁବାଦ କରିଥିଲେ।
ଏକାଦଶ ଶତାବ୍ଦୀରେ ସୋମଦେବ କଶ୍ମୀରରେ ‘କଥା ସରିତ୍‌ ସାଗର’ ରଚନା କରିଥିଲେ। କଶ୍ମୀର ଶାସକ ଜାଇନ୍‌ ଅଲ୍‌-ଆବିଦିନ୍‌ଙ୍କ (୧୪୨୦-୧୪୭୦) ଦରବାରରେ ଏହା ଆଂଶିକ ଭାବରେ ପାର୍ସୀ ଭାଷାରେ ଅନୂଦିତ ହୋଇଥିଲା। ଆକବରଙ୍କ ନିର୍ଦ୍ଦେଶରେ ବଦାଉନି ଏହି ଅନୁବାଦକୁ ପରିମାର୍ଜିତ ଓ ସମ୍ପୂର୍ଣ୍ଣ କରିଥିଲେ। ଜାଇନ୍‌ ଅଲ୍‌-ଆବିଦିନ୍‌ଙ୍କ ଦରବାରରେ ଦ୍ୱାଦଶ ଶତାବ୍ଦୀରେ ରଚିତ କହ୍ଲଣଙ୍କ ‘ରାଜତରଙ୍ଗିଣୀ’କୁ ମଧ୍ୟ ପାର୍ସୀ ଭାଷାରେ ଅନୁବାଦ କରାଯାଇଥିଲା। ଏହା ହେଉଛି କଶ୍ମୀର ରାଜାମାନଙ୍କର ବଂଶାନୁଚରିତ। ଶାହା ମହମ୍ମଦ ଶାହାବାଦୀ ଏହାକୁ ପୁଣି ଥରେ ପାର୍ସୀ ଭାଷାରେ ଅନୁବାଦ କରିଥିଲେ ଏବଂ ୧୫୮୯ ମସିହାରେ ଆକବରଙ୍କ ପ୍ରଥମ କଶ୍ମୀର ଗସ୍ତ ବେଳେ ତାଙ୍କୁ ଏହା ଉପହାର ଦେଇଥିଲେ। ଆକବର ଏହି ପୁସ୍ତକର ଭାଷାରେ ଉନ୍ନତି ଆଣିବା ପାଇଁ ବଦାଉନିଙ୍କୁ କହିଲେ ଏବଂ ବଦାଉନି ୧୫୯୧ ମସିହାରେ ପାର୍ସୀ ଅନୁବାଦକୁ ପରିମାର୍ଜିତ କରିଥିଲେ।
ପାର୍ସୀ ଭାଷାରେ ଅନୂଦିତ ଅନେକ ପୁସ୍ତକ ଏବଂ ବିଶେଷଭାବେ ରାମାୟଣ ଓ ମହାଭାରତ ଅନୁବାଦ ପୁସ୍ତକରେ ଆକବରଙ୍କ ଦରବାରର ଚିତ୍ରକରମାନେ ଅତି ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଆକବର ଗୋଟିଏ ଗଣିତ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ହେଉଛି ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ତଥା ଗଣିତଜ୍ଞ ଭାସ୍କରାଚାର୍ଯ୍ୟଙ୍କ ‘ଲୀଳାବତୀ’ ପୁସ୍ତକ। ଲୀଳାବତୀ ଗୋଟିଏ ଅତି ଲୋକପ୍ରିୟ ପୁସ୍ତକ ଥିଲା। ଏହା ୧୧୫୦ ମସିହାରେ ରଚିତ ହୋଇଥିଲା ଏବଂ ଦୀର୍ଘ ଛଅ ଶହ ବର୍ଷ ପର୍ଯ୍ୟନ୍ତ ଭାରତରେ ପାଠ୍ୟପୁସ୍ତକ ଭାବେ ବ୍ୟବହୃତ ହେଉଥିଲା। ଅନ୍ୟ କୌଣସି ପୁସ୍ତକ ଏତେବର୍ଷ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଭାବେ ବ୍ୟବହାର ହେବାର ଜଣାନାହିଁ। ଭାସ୍କରାଚାର୍ଯ୍ୟ ଏଥିରେ କ୍ଲିଷ୍ଟ ଗଣିତ ସୂତ୍ର ଓ ଉପପାଦ୍ୟଗୁଡିକୁ ବିଭିନ୍ନ ଉଦାହରଣ ସହ ସୁଲଳିତ ପଦ୍ୟ ଆକାରରେ ଉପସ୍ଥାପନ କରିଛନ୍ତି। ଆଧୁନିକ ଭାଷାରେ କହିଲେ ଏହା ବୋଧହୁଏ ପୃଥିବୀର ପ୍ରଥମ ଜନପ୍ରିୟ ଗଣିତ ପୁସ୍ତକର ମାନ୍ୟତା ପାଇବ। ବର୍ତ୍ତମାନ ମଧ୍ୟ ଏହି ସଂସ୍କୃତ ପୁସ୍ତକର ଛଅଶହରୁ ଅଧିକ ପାଣ୍ଡୁଲିପି ବିଭିନ୍ନ ପୁସ୍ତକାଳୟରେ ଅଛି। ଏହି ପୁସ୍ତକ ଭାରତର ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ଆକବରଙ୍କ ଦରବାରର ଅନ୍ୟତମ ମନ୍ତ୍ରୀ ଫାୟାଜି ଜଣେ ବିଦ୍ୱାନ ଥିଲେ। ସେ ଆବୁଲ ଫାଜଲଙ୍କ ଭାଇ ଥିଲେ। ଆକବରଙ୍କ ନିର୍ଦ୍ଦେଶରେ ସେ ୧୫୮୭ ମସିହାରେ ଲୀଳାବତୀ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ସେ ଏହି ପୁସ୍ତକରେ ଲେଖିଛନ୍ତି ଯେ ସେ ଏହି ଅନୁବାଦ ପାଇଁ ଭାରତର କେତେଜଣ ଗଣିତଜ୍ଞ ଏବଂ ବିଶେଷକରି ଦାକ୍ଷିଣାତ୍ୟର ଜ୍ୟୋତିର୍ବିିଦ୍‌ମାନଙ୍କର ସହାୟତା ନେଇଥିଲେ। ପାର୍ସୀ ଭାଷାରେ ଲିଖିତ ଲୀଳାବତୀର ୩୭ଟି ପାଣ୍ଡୁଲିପି ଏବେ ଉପଲବ୍ଧ ଅଛି। ଏହା ୧୮୨୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା କଲିକତାଠାରେ ପ୍ରଥମେ ମୁଦ୍ରିତ ହୋଇଥିଲା।
ଉଲ୍ଲେଖନୀୟ ଯେ, ସଂସ୍କୃତ ପୁସ୍ତକଗୁଡିକୁ ପାର୍ସୀ ଭାଷାରେ ଅନୁବାଦ କରିବା ପାଇଁ ଆକବରଙ୍କ ଦରବାରରେ ଉଭୟ ଭାଷାରେ ଦକ୍ଷତା ଥିବା ବ୍ୟକ୍ତିଙ୍କର ଅଭାବ ଥିଲା। ଏଣୁ ଏହି କାର୍ଯ୍ୟ ହିନ୍ଦୁ, ଜୈନ ଓ ମୁସଲମାନଙ୍କର ଗୋଟିଏ ବିଦ୍ୱାନ ଦଳ ମିଶିକରି କରିଥିଲେ। ପ୍ରଥମେ ହିନ୍ଦୁ ଓ ଜୈନ ପଣ୍ଡିତମାନେ ଏହାକୁ ସଂସ୍କୃତରୁ ସ୍ଥାନୀୟ ଭାଷାରେ ଲେଖୁଥିଲେ। ସେମାନଙ୍କୁ ‘ଦ୍ୱିଭାଷୀୟା’ କୁହାଯାଉଥିଲା। ଏହାପରେ ମୁସଲମାନ ବିଦ୍ୱାନ୍‌ମାନେ ସ୍ଥାନୀୟ ଭାଷାରୁ ଏହାକୁ ପାର୍ସୀ ଭାଷାରେ ଅନୁବାଦ କରୁଥିଲେ। ସେମାନଙ୍କୁ ଅନୁବାଦକ କୁହାଯାଉଥିଲା। ଶେଷରେ ପାର୍ସୀ ପଣ୍ଡିତମାନେ ଏହାକୁ ପରିମାର୍ଜିତ ଭାଷାରେ ଉଭୟ ଗଦ୍ୟ ଓ ପଦ୍ୟ ଆକାରରେ ଲେଖୁଥିଲେ ଏବଂ ଅନୁବାଦକ ଭାବେ ପୁସ୍ତକରେ ସେମାନଙ୍କ ନାମ ରହୁଥିଲା।
ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri