ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ ହେଲା ଦିଗପହଣ୍ଡି ସବ୍‌ ଜେଲରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବା ପ୍ରତାପଗିରି ଗ୍ରାମର କୃଷ୍ଣ ନାୟକଙ୍କୁ ମଙ୍ଗଳବାର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଗ୍ରାମରେ ନିର୍ବାଚନ ପ୍ରଚାର ପାଇଁ ବାଜା ବଜାଇବାକୁ କେନ୍ଦ୍ରକରି ଲିଙ୍ଗା ନାୟକଙ୍କ ଘର ସମ୍ମୁଖରେ ଦୟା ନାୟକ ଓ ଅଭି ନାୟକଙ୍କ ମଧ୍ୟରେ ମାରପିଟ ହେଉଥିଲା। ମନୁ ନାୟକ ଓ ଅରକ୍ଷିତ ନାୟକ ଛଡ଼ାଇବାକୁ ଯିବାରୁ ତାଙ୍କୁ କୃଷ୍ଣଙ୍କ ସମେତ ଅନ୍ୟ ୭ ଜଣ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାତି ଚୋଟରେ ମନୁ ଓ ଅରକ୍ଷିତ ଗୁରୁତର ହୋଇଥିଲେ। ପାଟପୁର ପୋଲିସ ପହଞ୍ଚିବା ପରେ ମନୁ ନାୟକଙ୍କ ସ୍ତ୍ରୀ ଉର୍ମିଳା ଏତଲା ଦେଇଥିଲେ। ଥାନା ମାମଲା ନଂ. ୫୫/୦୪ ଦଫା ୧୪୭/୧୪୮/୧୪୯/୩୪୧/୩୩୭/୩୨୪/ଅନୁଯାୟୀ ଅଭିଯୁକ୍ତମାନଙ୍କ ନଁାରେ ମକଦ୍ଦମା ରୁଜୁ କରାଯାଇଥିଲା। ତତ୍କାଳୀନ ଥାନା ଅଧିକାରୀ କୁଞ୍ଜ ବିହାରୀ ପଟ୍ଟନାୟକ ଘଟଣାର ତଦନ୍ତ କରି ନଂ. ୯୬/୦୪ ଅନୁଯାୟୀ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜଶିିଟ ଦାଖଲ କରିଥିଲେ। ସମୁଦାୟ ୯ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଦଣ୍ଡାଦେଶର ଶୁଣାଣି କରାଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସତ୍ୟନାରାୟଣ ରଥ, ଦୀପକ କୁମାର ସେଠୀ ମାମଲା ପରିଚାଳନା କରୁଥିଲେ।